ମିଶୁ ମିଶୁ ମିଳିଲା ମନ୍ମଥଙ୍କୁ ଟିକେଟ୍ । ମାତ୍ର ଅଢେଇ ଘଣ୍ଟାରେ ଟିକେଟ୍ ଉପହାର ଦେଇ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ କଲା ବିଜେଡି ।

727

କନକ ବ୍ୟୁରୋ: ଦିନ ପ୍ରାୟ ସାଢେ ୧୧ଟା ପାଖାପାଖି । ବିଶାଳ ସମାବେଶ କରି ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚିଥିଲେ ସୁର ରାଉତରାୟଙ୍କ ସାନପୁଅ କ୍ୟାପଟେନ୍ ମନ୍ମଥ ରାଉତରାୟ । ବିଜେଡିରେ ମନ୍ମଥ ମିଶିବା ନେଇ ଆଗରୁ ଅନେକ ଚର୍ଚ୍ଚା ଆଲୋଚନା ଆଉ ସୁର-ମନ୍ମଥ ମଧ୍ୟରେ ରାଗ ଅଭିମାନର କଥା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିବା ବେଳେ ଶେଷରେ ଶତାଧିକ ସମର୍ଥକଙ୍କ ସହ ଶଙ୍ଖ ଫୁଙ୍କିଛନ୍ତି ସୁରଙ୍କ ସାନପୁଅ । ଆଉ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ।

ବିଜେଡିରେ ସାମିଲ ହୋଇ ମନ୍ମଥ ଟିକେ ଭାବବିହ୍ୱଳ ହେବା ସହ ବାପାଙ୍କ ଅନୁମତି ନେଇ ବିଜେଡିରେ ସାମିଲ ହୋଇଥିବା କହିଥିବା ବେଳେ ସୁର ମଧ୍ୟ ନିଜ ପ୍ରତିକ୍ରିୟାରେ ତାଙ୍କ ପୁଅକୁ ବିଜେଡିରେ ଉଚିତ ସମ୍ମାନ ମିଳୁ ବୋଲି ଆଶା ରଖିଥିଲେ । ଆଉ ସବୁଠାରୁ ବଡ କଥା ହେଉଛି, ମନ୍ମଥଙ୍କ ଯୋଗଦାନର ପ୍ରାୟ ଅଢେଇ ଘଣ୍ଟା ପରେ ହିଁ ମନ୍ମଥଙ୍କୁ ବଡ ଉପହାର ଦେଇଛି ବିଜେଡି । ଦିନ ୨ଟା ପରେ ପରେ ହିଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଥିଲା । ୨୦୨୪ ନିର୍ବାଚନ ପାଇଁ ୯ଟି ଲୋକସଭା ଆସନର ତାଲିକା ଘୋଷଣା ହୋଇଥିବା ବେଳେ ଭୁବନେଶ୍ୱର ଲୋକସଭା ଆସନ ପାଇଁ କ୍ୟାପଟେନ୍ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ଭୁବନେଶ୍ୱରରୁ ଅପରାଜିତାଙ୍କ ଉପରେ ବିଜେପି ପୁନଃଶ୍ଚ ଆସ୍ଥା ପ୍ରକଟ କରିଥିବା ବେଳେ ବିଜେଡିରୁ ତାଙ୍କୁ ଚେକ୍ ଦେବାକୁ ଶ୍ରୀମୟୀ ମିଶ୍ର ଲଢିପାରନ୍ତି ବୋଲି ଆକଳନ ଓ ଆଲୋଚନା ହେଉଥିବା ବେଳେ ସବୁ କଳ୍ପନା ଓ ଆକଳନକୁ ଭୁଲ ପ୍ରମାଣିତ କରି ସୁରଙ୍କ ପୁଅଙ୍କୁ ସରପ୍ରାଇଜ୍ କ୍ୟାଣ୍ଡିଡେଟ୍ କରିଛି ବିଜେଡି । ଆଉ ଏଥର ଭୁବନେଶ୍ୱର ଦେଖିବ ଆଇଏଏସ ବନାମ ପାଇଲଟ୍ ଲଢେଇ ।