ବିଜେଡିରେ ସାମିଲ ହେବା ବେଳେ ଭାବବିହ୍ୱଳ ହେଲେ ମନ୍ମଥ ରାଉତରାୟ । କହିଲେ ବାପାଙ୍କ ଅନୁମତି ନେଇ ମିଶିଛି, ଓଡ଼ିଶାକୁ ଆଗକୁ ନେବାକୁ ମାଡିଚାଲ ।

1,000

କନକ ବ୍ୟୁରୋ : ବିଜେଡିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ କ୍ୟାପଟେନ ମନ୍ମଥ ରାଉତରାୟ । ଶଙ୍ଖ ଭବନରେ ହଜାର ହଜାର ସମର୍ଥକଙ୍କ ସହ ପହଞ୍ଚି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ମନ୍ମଥ । ବିଜେଡିରେ ସାମିଲ ହେବା ପରେ ମନ୍ମଥ କହିଛନ୍ତି, ବାପାଙ୍କ ଆଶୀର୍ବାଦ ନେଇ ବିଜେଡିରେ ମିଶିଛି । ଆଉ ଏଭଳି କହିବା ବେଳେ ଭାବବିହ୍ୱଳ ହୋଇଥିଲେ ମନ୍ମଥ । ସବୁବେଳେ ବାପା ଆଗରେ ଯାଉଥିଲେ ମୁଁ ପଛରେ ଯାଉଥିଲି । କିନ୍ତୁ ପ୍ରଥମଥର ପାଇଁ ଏକୁଟିଆ ଆସିଛି । ୬୦ ବର୍ଷ ଭିତରେ ବାପାଙ୍କର ହାରିବା ଓ ଜିତିବା ଦେଖିଛନ୍ତି, କିନ୍ତୁ କେବେ ଏହି ପରିବାରକୁ ଛାଡିନାହାନ୍ତି । ବାପାଙ୍କ ଅନୁମତି ଓ ଆଶୀର୍ବାଦ ନେଇ ଏଠାକୁ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ସ୍କଲାରସିପ ଦେଇଥିଲେ ତାହା ଏବେ ବି ମୋର ମନେଅଛି । ବିଜୁ ପଟ୍ଟନାୟକ ମୋର ଆଦର୍ଶ । ଭିକେ ପାଣ୍ଡିଆନଙ୍କ କାର୍ଯ୍ୟଶୈଳୀକୁ ପ୍ରଂଶସା କରିବା ସହ ବଡଭାଇ ଭଳି ପରାମର୍ଶ ଦେଇଥିବାରୁ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଦେଇଛନ୍ତି ମନ୍ମଥ ।

ଏହାସହ ମନ୍ମଥ କହିଛନ୍ତି, ମୋର ଓଡ଼ିଶାକୁ ନେଇ ଯେଉଁ ଆଶା ଅଛି ତାହା ବିଜେଡି ଦଳରେ ପୂରା କରାଯାଇପାରିବ । ସବୁ ବର୍ଗ ଓ ସବୁ କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି କାମ କରୁଛନ୍ତି ତାହା ତାଙ୍କୁ ଏକ ନମ୍ବର ମୁଖ୍ୟମନ୍ତ୍ରୀର ପରିଚୟ ଦେଇଛି । ଗୋଟିଏ ସୈନିକ ହିସାବରେ କାମ କରିବି । ଯାହା ବି ଦାୟିତ୍ୱ ମିଳିବ ତାହା କରିବି । ଓଡ଼ିଶାକୁ ଆଗକୁ ନେବା ପାଇଁ ଶପଥ ନେବା । ଶେଷରେ ବାପା ସୁର ରାଉତରାୟଙ୍କ ମାଡିଚାଲ ଡାଇଲଗ ମାରିଥିଲେ ମନ୍ମଥ ।

ବିଜେଡିରେ ମନ୍ମଥ ଯୋଗ ଦେଇଥିବା ବେଳେ ଜଟଣୀରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ଭୁବନେଶ୍ୱର ଲୋକସଭା ଆସନରେ ମଧ୍ୟ ମନ୍ମଥଙ୍କୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ମନ୍ମଥ ବିଜେଡିରେ ମିଶିବା ପରେ ତାଙ୍କୁ ଦଳ କଣ ଦାୟିତ୍ୱ ଦେଉଛି ତାହା ଉପରେ ସମସ୍ତଙ୍କର ନଜର ରହିବ । କିଛି ମାସ ତଳେ ପାଇଲଟ ଚାକିରୀରୁ ସ୍ୱେଛାକୃତ ଭାବେ ଅବ୍ୟାହତି ନେବା ପରେ ରାଜନୀତିରେ ସାମିଲ ହେବାକୁ ମନ ବଳାଇଥିଲେ ମନ୍ମଥ । ପ୍ରଥମରୁ ବାପାଙ୍କ ପଥ ଅନୁସରଣ କରି ମନ୍ମଥ ମଧ୍ୟ ଜଟଣୀରୁ କଂଗ୍ରେସ ଟିକେଟରେ ଲଢିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ କଂଗ୍ରେସରୁ ଲଢିବେନି ବୋଲି ସ୍ପଷ୍ଟ ମନା କରିଥିଲେ ମନ୍ମଥ । ଅନ୍ୟପଟେ ପୁଅ ବିଜେଡିରେ ସାମିଲ ହେବାକୁ ନେଇ ସୁର କହିଛନ୍ତି, ଯେତେ ଚେଷ୍ଟା କଲି ପାରିଲିନି, ଅଭିମାନ କଲା । ସେଥି ପାଇଁ ଛାଡିଦେଲି ବିଜେଡିରେ ମିଶିବା ପାଇଁ । ଭଗବାନଙ୍କୁ ଡାକୁଛି, ମୋ ପୁଅକୁ ଜିତେଇ ଦିଅ । ମନ୍ମଥଙ୍କୁ ସହଯୋଗ କରିବି କିନ୍ତୁ ପ୍ରଚାର କରିବାକୁ ଯିବିନି । ବିଜେଡି ମୋ ପୁଅକୁ ନେଇଛି, ଆଶା ସେମାନେ ଉପଯୁକ୍ତ ସମ୍ନାନ ଦେବେ କହିଛନ୍ତି ସୁର ରାଉତରାୟ ।