ମିଛ ଥିଲା ପ୍ରତିଶ୍ରୁତି ? ମାଙ୍କେଡିଆ ଜନଜାତିର ପ୍ରଥମ ଦଶମ ପାସ୍ କରିଥିବା ଝିଅ ମୋନିକାର ପାଠରେ ପଡିଛି ଡୋରି । ଯୁକ୍ତ ଦୁଇ ଫେଲ୍ ହେବା ପର ଠାରୁ ପଢା ବନ୍ଦ, ସହାୟତା ପ୍ରତିଶ୍ରୁତି ଦେଇ ଭୁଲି ଯାଇଛି ପ୍ରଶାସନ ।

548

କନକ ବ୍ୟୁରୋ: ମାଙ୍କେଡିଆ ଜନଜାତିର ପ୍ରଥମ ଛାତ୍ରୀ ଭାବେ ମାଟ୍ରିକ୍ ପାସ୍ କରିଥିଲେ, ଉଚ୍ଚ ଶିକ୍ଷା ଲାଭ କରି ସ୍ୱାବଲମ୍ବୀ ହେବାକୁ ସ୍ୱପ୍ନ ଦେଖିଥିଲେ ଯାଜପୁର ଜିଲ୍ଲାର ମୋନିକା । ହେଲେ ପ୍ଲସ୍ ଟୁ ପରୀକ୍ଷାରେ ଫେଲ ହେବା ପରେ ପାଠପଢ଼ାରେ ଡୋରି ବନ୍ଧା ହୋଇଛି । କେବଳ ମୋନିକାଙ୍କ ସ୍ୱପ୍ନ ମଉଳି ଯାଇନାହିଁ, ବିଲୁପ୍ତ ପ୍ରାୟ ମାଙ୍କେଡିଆ ଜନଜାତିର ବିକାଶ ପାଇଁ ସରକାର ଯେଉଁ ଯୋଜନା କରିଛନ୍ତି, ସେଥିରେ ବି ପ୍ରଶ୍ନଚିହ୍ନ ଲାଗି ଯାଇଛି ।

୨୦୧୭ ମସିହାରେ ମାଙ୍କେଡ଼ିଆ ଜନଜାତିର ପ୍ରଥମ ଛାତ୍ରୀ ଭାବେ ମାଟ୍ରିକ ପାସ୍ କରିଥିଲେ ମୋନିକା । ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା ସାରା ରାଜ୍ୟରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ତକ୍ରାଳୀନ ଗଣଶିକ୍ଷାମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପର୍ଯ୍ୟନ୍ତ ସମ୍ମାନିତ କରିଥିଲେ ମୋନିକାଙ୍କୁ । ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ଟାବଲେଟ୍ ଦେଇଥିଲେ, ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ଏକ ସାଇକେଲ ଦିଆଯାଇଥିଲା । ମୋନିକାଙ୍କୁ ଜିଲ୍ଲା ପ୍ରଶାସନ ପ୍ରୋତ୍ସାହନ ରାଶି ଦେଇଥିଲେ । ଉଚ୍ଚଶିକ୍ଷା ଓ ଅନ୍ୟାନ୍ୟ ସହାୟତା ଦେବା ଲାଗି ଦିଆଯାଇଥିଲା ପାହାଡ଼ ଭଳି ପ୍ରତିଶ୍ରୁତି । ହେଲେ ଯୁକ୍ତ ୨ ପରୀକ୍ଷାରେ ସେ ଫେଲ୍ ହୋଇଯିବା ପରେ ମୋନିକାର ସବୁ ସ୍ୱପ୍ନ ପାଣିରେ ମିଳାଇ ଯାଇଛି ।

ଯୁକ୍ତ ୨ ବିଜ୍ଞାନ ପଢିବା ସମୟରେ ମୋନିକାଙ୍କୁ ମିଳିପାରିନଥିଲା ଆବଶ୍ୟକ କୋଚିଂ । ଫଳରେ ସେ ଯୁକ୍ତ ଦୁଇରେ ଫେଲ୍ ହୋଇଗଲେ । ଯୁକ୍ତ ଦୁଇରେ ଫେଲ୍ ହେବା ପର ଠାରୁ ତାଙ୍କ ପାଠ ପଢାରେ ଡୋରି ପଡିଛି । ଆଗକୁ ବଢିବାର ଇଛା ଥିଲେ ବି ସବୁ ଏବେ ମୋନିକାଙ୍କୁ ସ୍ୱପ୍ନ ପରି ଲାଗିଲାଣି । ମାଙ୍କଡିଆ ଜନଜାତିର ପ୍ରଥମ ମାଟ୍ରିକ୍ ପଢୁଆ ଝିଅକୁ ଉଚ୍ଚଶିକ୍ଷା ପାଇଁ ଦିଆଯାଇଥିବା ସହାୟତା ପ୍ରତିଶ୍ରୁତି ପାଳନ ପାଇଁ ଦାବି ହୋଇଛି । ୨୦୧୭ରେ ମାଟ୍ରିକ ପାସ୍ କରିବା ପରେ କେତେ କଣ ସ୍ୱପ୍ନ ଦେଖିଥିଲା ମୋନିକା । ହେଲେ ଯୁକ୍ତ ଦୁଇ ଫେଲ୍ ହେବା ପରେ ଏବେ ଘର କାମ ଓ ଜଙ୍ଗଲ ଯିବାରେ ସମୟ କଟୁଛି । ପାଠ ପଢି ଆଗକୁ ବଢିବାର ଇଛା ବି ଅଧାରେ ଅଟକି ଯାଇଛି