ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଆଜିଠାରୁ ପ୍ରଥମ ଓଡିଆ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ ଏହାର କାର୍ଯ୍ୟକ୍ରମ ଗୁଡିକର ପ୍ରସାରଣ ଆରମ୍ଭ କରିବାକୁ ଯାଉଛି । ଲକଡାଉନ୍ ସମୟରେ ସରକାରୀ କଟକଣାକୁ ପାଳନ କରି ସମସ୍ତ ମନୋରଞ୍ଜନ ଚ୍ୟାନେଲ ଗୁଡିକ ପକ୍ଷରୁ ସୁଟିଂ ବନ୍ଦ ରହିଥିଲା । ଏବେ ସେସବୁ କଟକଣାରେ କିଛିଟା କୋହଳ ହେବା ପରେ ‘ମଞ୍ଜରୀ’ ପକ୍ଷରୁ ପୁଣି ଥରେ କାର୍ଯ୍ୟକ୍ରମ ଗୁଡିକର ପ୍ରସାରଣ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ‘ମଞ୍ଜରୀ’ ହେଉଛି ପ୍ରଥମ ଓଡିଆ ମନୋରଞ୍ଜନ ଚ୍ୟାନେଲ ଯାହାକୁ ଓଡିଆ ଦର୍ଶକମାନେ ସମ୍ପୂର୍ଣ୍ଣ ଭାବେ ବିନା ମୂଲ୍ୟରେ ଦେଖିପାରିବେ । ଓଡିଶାର ପ୍ରାୟ ସମସ୍ତ ମଲ୍ଟି ସିଷ୍ଟମ ଅପରେଟର, ଲୋକାଲ କେବୁଲ ନେଟୱର୍କ, ଏୟାରଟେଲ (ଚ୍ୟାନେଲ ନମ୍ବର- ୬୦୦), ଟାଟା ସ୍କାଏ (ଚ୍ୟାନେଲ ନମ୍ବର- ୧୭୭୭), ଡିସ୍ ଟିଭି (ଚ୍ୟାନେଲ ନମ୍ବର-୧୩୦୯), ଭିଡିଓକନ୍ (ଚ୍ୟାନେଲ ନମ୍ବର- ୮୩୦), ଇଏମ୍ ଡିଜିଟାଲ (ଚ୍ୟାନେଲ ନମ୍ବର-୧୧୪), ହାଥ୍ ୱେ(ଚ୍ୟାନେଲ ନମ୍ବର-୭୩୩) ଓ ସିଟି କେବୁଲ (ଚ୍ୟାନେଲ ନମ୍ବର- ୧୬)ରେ ‘ମଞ୍ଜରୀ’ ଉପଲବ୍ଧ ହେଉଛି ।

Advertisment

ଏଥିରେ ପ୍ରସାରିତ ନୂଆ ମେଗା ଧାରାବାହିକ ‘ମୋ ଦେହେ ବୋଳିଦେ ତୋ ଦେହ କଳା’, ‘ବୋହୂ ଆମର ଏନଆରଆଇ’, କମେଡି ଧାରାବାହିକ ‘କିଡନାପ କମ୍ପାନୀ’, ‘ଏଣ୍ଟରଟେନମେଣ୍ଟର ଦକ୍ଷିଣୀ ଛୁଙ୍କ’, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ‘ଦିବ୍ୟ ଚେତନା’, ‘ମା’ ଏବଂ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଧାରାବାହିକ ‘ଶ୍ରୀ ବିନାୟକ’ ଭଳି ଅନେକ ଗୁଡିଏ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମକୁ ଓଡିଆ ଦର୍ଶକମାନେ ଏହି ଚ୍ୟାନେଲରେ ବିନା ମୂଲ୍ୟରେ ଉପଭୋଗ କରିପାରିବେ । ‘ବଜରଙ୍ଗୀ କଲୋନୀ’ ନାମରେ ଏକ ନୂଆ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ଖୁବ ଶୀଘ୍ର ‘ମଞ୍ଜରୀ’ରେ ଆରମ୍ଭ ହେବାକୁ ଯାଉଛି । ଏଥିରେ ହାସ୍ୟ ସମ୍ରାଟ ପପୁ ପମପମ୍ ଓ ଯାତ୍ରା ଦୁନିଆର ବେଶ୍ ଜଣାଶୁଣା ରାନୀ ପଣ୍ଡାଙ୍କୁ ଦେଖିବାକୁ ମିଳିବ ।

ଆଜି ପବିତ୍ର ରଥଯାତ୍ରା ଅବସରରେ ‘ମଞ୍ଜରୀ’ରେ ସକାଳ ୭ ଟାରେ ଏକ ବିଶେଷ କାର୍ଯ୍ୟକ୍ରମ ‘ଦରଶନ ଦିଅ ଜଗନ୍ନାଥ’ ପ୍ରସାରିତ ହେବାକୁ ଯାଉଛି । ଦର୍ଶକଙ୍କ ସହିତ ସବୁ ସମୟରେ ଯୋଡି ହୋଇ ରହିବା ପାଇଁ ‘ମଞ୍ଜରୀ’ ୟୁଟ୍ୟୁବ୍, ଫେସବୁକ, ଇଂଷ୍ଟାଗ୍ରାମ୍ ଓ ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉପଲବ୍ଧ ରହିଛି । ‘ମଞ୍ଜରୀ’ର କାର୍ଯ୍ୟକ୍ରମ ଜାତୀୟସ୍ତରର ମନୋରଞ୍ଜନ ଚ୍ୟାନେଲଗୁଡିକ ଠାରୁ କୌଣସି ଗୁଣରେ କମ୍ ହେବ ନାହିଁ ବୋଲି ଚ୍ୟାନେଲ ପକ୍ଷରୁ ପ୍ରତିଶୃତି ଦିଆଯାଇଛି । ଓଡିଆ ଦର୍ଶକ ‘ମଞ୍ଜରୀ’କୁ ସେମାନଙ୍କର ଭରପୁର ଶ୍ରଦ୍ଧା ଓ ସମର୍ଥନ ଦେବେ ବୋଲି ଚ୍ୟାନେଲ ପକ୍ଷରୁ ଆଶା ପୋଷଣ କରାଯାଇଛି