କନକ ବ୍ୟୁରୋ: ପାକିସ୍ତାନ ଗୋଟିଏ ପୁରୁଷ ପ୍ରଧାନ ଦେଶ । ଏଠାକାର ସମାଜ ଏବଂ ସଂସ୍କୃତିରେ ମହିଳା ପୋଲିସରେ ସାମିଲ ହେବା ଅନେକ କଷ୍ଟକର ବ୍ୟାପାର । ତେବେ ସେସବୁ ବାଧାକୁ ଅତିକ୍ରିମ କରି ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ପୋଲିସ ଅଧିକାରୀ ହୋଇପାରିଛନ୍ତି ମନିଷା ରୁପେଟା । ଏହି ସଫଳତା ତାଙ୍କୁ ଅନ୍ୟ ମହିଳାଙ୍କ ପାଇଁ ଗୋଟିଏ ଉଦାହରଣ ସୃଷ୍ଟି କରିପାରିଛି ।

Advertisment

ପାକିସ୍ତାନର ସିନ୍ଧ ପୋଲିସବଳରେ ସାମିଲ ଥିବା ୨୬ ବର୍ଷୀୟ ମନିଷା ରୁପେଟା ଜଣେ ବରିଷ୍ଠ ଅଧିକାରୀ ହୋଇପାରିଛନ୍ତି । ପାକିସ୍ତାନରେ ଅଳ୍ପସଂଖ୍ୟକ ହିନ୍ଦୁ ସମୁଦାୟର ପ୍ରଥମ ମହିଳା ପୋଲିସ ଉପଅଧିକ୍ଷକ ବା ଡିଏସପି ହୋଇପାରିଛନ୍ତି ମନିଷା । ଅନେକ ବାଧାବିଘ୍ନର ସାମ୍ନାକରି ସେ ଏହି ସଫଳତା ପାଇପାରିଛନ୍ତି । ଅନ୍ୟ ମହିଳା ଯେଉଁମାନେ ପୋଲିସବଳରେ ସାମିଲ ହେବାପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି ।

ସିନ୍ଧ ପ୍ରଦେଶର ଜେକୋବାବାଦ ଅଞ୍ଚଳରେ ମନିଷା ରହିଥାନ୍ତି । ତାଙ୍କ କହିବା କଥା, ପିଲାବେଳେ ସେ ଓ ତାଙ୍କ ଭଉଣୀମାନେ ପିତୃସତ୍ତାର ସେହି ପୁରୁଣା ବ୍ୟବସ୍ଥା ଦେଖିଥିଲେ ଯେଉଁଠି ଝିଅମାନଙ୍କୁ କୁହାଯାଉଥିଲା ଯଦି ସେମାନେ ଶିକ୍ଷିତ ହେବାକୁ ଚାହୁଁଛନ୍ତି ସେମାନେ କେବଳ ଶିକ୍ଷକ କିମ୍ବା ଡାକ୍ତର ହୋଇପାରିବେ । ମଧ୍ୟବିତ୍ତ ପରିବାରରୁ ଆସୁଥିବା ମନିଷା ଆହୁରି ମଧ୍ୟ କହିଛନ୍ତି, ସେ ଏହି ଭାବନାକୁ ଶେଷ କରିବା ପାଇଁ ଚାହୁଁଥିଲେ ଯେ ଭଲ ପରିବାର ଝିଅମାନେ ମଧ୍ୟ ପୋଲିସବଳରେ ସାମିଲ ହୋଇପାରିବେ ।

ସେ ଆହୁରି କହିଛନ୍ତି, ମହିଳାମାନେ ଆମ ସମାଜରେ ସବୁଠାରୁ ଅଧିକ ଉତ୍ପିଡୀତ ତଥା ଅନେକ ଅପରାଧୀଙ୍କ ନଜରରେ ରହିଥାନ୍ତି । ମୁଁ ପୋଲିସରେ ସାମିଲ ଏଥିପାଇଁ ହୋଇଛି କାରଣ ମୋତେ ଲାଗୁଛି ଆମ ସମାଜରେ ରକ୍ଷା କରିବା ପାଇଁ ଅନେକ ମହିଳାଙ୍କ ଆବଶ୍ୟକତା ରହିଛି । ମନିଷା ବର୍ତ୍ତମାନ ଟ୍ରେନିଂ ନେଉଛନ୍ତି । ତାଙ୍କୁ ଅପରାଧ ପ୍ରବଣ ଅଞ୍ଚଳ ଲ୍ୟାରୀରେ ନିଯୁକ୍ତି ଦିଆଯାଇଛି ।

ମନିଷାଙ୍କ ବାପା ଜେକୋବାବାଦରେ ଜଣେ ବ୍ୟବସାୟୀ ଥିଲେ । ମନିଷାଙ୍କୁ ୧୩ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା । ଏହା ପରେ ତାଙ୍କ ମାଆ ସମସ୍ତଙ୍କୁ କରାଚି ନେଇଯାଇଥିଲେ । ସେଠାରେ ସେମାନଙ୍କର ଲାଳଣପାଳନ ହୋଇଥିଲା । ତେବେ ଟ୍ରେନିଂଙ୍କୁ ନେଇ ସେ କହିଛନ୍ତି ତାଙ୍କ ସହଯୋଗୀ ଏବଂ ବରିଷ୍ଠ, କନିଷ୍ଠ ଅଧିକାରୀଙ୍କ ପାଖରୁ ଯଥେଷ୍ଟ ସହଯୋଗ ମିଳୁଛି । ସେମାନେ ମନିଷାଙ୍କ ପରିଶ୍ରମ ଏବଂ ବିଚାରଙ୍କୁ ମଧ୍ୟ ସମ୍ମାନ ଦେଉଛନ୍ତି।