ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ବଳତାର ପରିଚୟ । ମନମୋହନ ସରକାର ଉପରେ ବର୍ଷିଲେ କଂଗ୍ରେସ ନେତା ।

400

କନକ ବ୍ୟୁରୋ : କଂଗ୍ରେସ ଉପରେ ବର୍ଷିଲେ କଂଗ୍ରେସ ନେତା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ନେଇ ମନମୋହନ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ମନୀଷ ତିୱାରୀ । ନିଜ ବହିରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ମନମୋହନ ସରକାର ଉପରେ ବର୍ଷିଛନ୍ତି ମନୀଷ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ପାକିସ୍ତାନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଦୁର୍ବଳତାର ପରିଚୟ ଦେଇଥିଲା ।

ମନୀଷ ତିୱାରୀ ନିଜ ବହିରେ ଲେଖିଛନ୍ତି ଯେ, କୌଣସି ଦେଶ (ପାକିସ୍ତାନ)କୁ ଯଦି ନୀରିହ ଲୋକଙ୍କ ହତ୍ୟା ପାଇଁ କୌଣସି ଦୁଃଖ ନାହିଁ ସେଭଳିସ୍ଥଳେ ଚୁପଚାପ ବସିବା ଶକ୍ତିଶାଳୀ ରାଷ୍ଟ୍ରର ପରିଚୟ ନୁହେଁ, ବରଂ ଦୁର୍ବଳତାର ପରିଚୟ ଦେଇଥାଏ । ୨୬/୧୧  ଆତଙ୍କବାଦୀ ଆକ୍ରମଣ ପରେ ଏଭଳି ଏକ ସମୟ ଥିଲା ଯେତେବେଳେ ବୟାନବାଜୀ ଅପେକ୍ଷା କଡା ଜବାବ ଦେବାର ଆବଶ୍ୟକତା ଥିଲା । ଏହାସହ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ଆମେରିକା ୯/୧୧ ଆକ୍ରମଣ ସହ ତୁଳନା କରି ମନୀଷ କହିଛନ୍ତି ଏହି ସମୟରେ ଶତ୍ରୁଙ୍କୁ ସାବାଡ କରିବା ଦରକାର ଥିଲା ।

ଏହା ପ୍ରଥମଥର ନୁହେଁ ଯେବେ ନିଜ ଦଳକୁ ଘେରିଛନ୍ତି ମନୀଷ ତିୱାରୀ । ଏହାପୂର୍ବରୁ ପଞ୍ଜାବ ରାଜନୀତିରେ ଅସ୍ଥିରତା ଦେଖାଦେଇଥିବା ବେଳେ ପ୍ରଶ୍ନ ଉଠାଇଥିଲେ ମନୀଷ । ପଞ୍ଜାବ ବାବଦରେ ଯିଏ ଜାଣିନାହାନ୍ତି ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାଛଡା କଂଗ୍ରେସରେ କହ୍ନେୟାଙ୍କ ସାମିଲ ହେବାକୁ  ନେଇ ମଧ୍ୟ ପ୍ରଶ୍ନ କରିଥିଲେ ମନୀଷ ।

ମନୀଷଙ୍କ ବହିରେ ଯେଉଁ କଥା ଉଲ୍ଲେଖ ଅଛି ତାହାକୁ ନେଇ କଂଗ୍ରେସକୁ ଘେରିଛି ବିଜେପି । ଦଳର ମୁଖପାତ୍ର ପୁନାବାଲା ଟ୍ୱିଟ୍ କରି କହିଛନ୍ତି, ୨୬/୧୧ ଆତଙ୍କବାଦୀ ଆକ୍ରମଣ ପରେ ସରକାରଙ୍କ ବାବଦରେ ଠିକ୍ ଆଲୋଚନା କରିଛନ୍ତି ମନୀଷ । ପୁନାବାଲା କହିଛନ୍ତି, ଏହି ଆତଙ୍କବାଦୀ ଆକ୍ରମଣ ପରେ  ବାୟୁସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଥିଲା ବୋଲି ଏୟାର ଚିଫ୍ ମାର୍ଶଲ ଫଲି ମେଜର ମଧ୍ୟ କହିଥିଲେ । କିନ୍ତୁ ମନମୋହନ ସରକାର ଏହାକୁ ଏଡାଇ ଯାଇଥିଲେ ।  ଉରୀ ଓ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ୨୬/୧୧ ଆକ୍ରମଣ ପରେ ସେଭଳି କାର୍ଯ୍ୟାନୁଷ୍ଠାନ ନେବାକୁ କିଏ ରୋକିଥିଲା ବୋଲି ପ୍ରଶ୍ନ କରିଛନ୍ତି ମନୀଷ ।