କନକ ବ୍ୟୁରୋ : ଆଜି କଂଗ୍ରେସରେ ଯୋଗ ଦେଇପାରନ୍ତି ସିପିଆଇର ଜାତୀୟ ପରିଷଦ ସଭ୍ୟ ତଥା ଯୁବନେତା କହ୍ନେୟା କୁମାର । ଏହା ସହ ଗୁଜୁରାଟର ସ୍ୱାଧୀନ ବିଧାୟକ ତଥା ଦଳିତ ନେତା ଜିଗ୍ନେସ ମେୱାନୀ ବି ଆଜି କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ସେମାନେ ଅପରାହ୍ନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦଳରେ ଯୋଗଦେଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ କଂଗ୍ରେସ ଭିତରୁ କହ୍ନେୟା କୁମାରଙ୍କୁ ବିରୋଧ କରାଯାଇଛି । କିଛି ନେତା ଆଶା କରୁଛନ୍ତି କି ଏହି ଦୁଇ ଯୁବନେତା କଂଗ୍ରେସରେ ଯୋଗଦେଲେ ଗୁଜୁରାଟ ଓ ବିହାରରେ କଂଗ୍ରେସର ସ୍ଥିତି ବଦଳିବ ତ ଅନ୍ୟକିଛି ନେତା ଭାବୁଛନ୍ତି ସେମାନେ ଆସିଲେ ସେମିତି କିଛି ପରିବର୍ତ୍ତନ ହେବାର ନାହିଁ । ଏହାରି ମଧ୍ୟରେ କଂଗ୍ରେସ ସାଂସଦ ମନୀଷ ତିୱାରୀ କହ୍ନେୟାଙ୍କୁ ବିରୋଧ କରିଛନ୍ତି । କୁମାର ମଙ୍ଗଲମଙ୍କ ପୁସ୍ତକ ‘କମ୍ୟୁନିଷ୍ଟ ଇନ୍ କଂଗ୍ରେସ’ ର ଦ୍ୱାହି ଦେଇ ସେ କହିଛନ୍ତି କି ବାମପନ୍ଥୀ ବିଚାରଧାରା ଦେଶରେ ଚାଲିବା ସମ୍ଭବ ନୁହେଁ ।

Advertisment

ମନୀଷ ତିୱାରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି କିଛି କମ୍ୟୁନିଷ୍ଟ ନେତା ଏବେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଏବେ ୧୯୭୩ ର ପୁସ୍ତକ ‘କମ୍ୟୁନିଷ୍ଟ ଇନ କଂଗ୍ରେସ’ ର ପୃଷ୍ଟା ଓଲଟୁଛି । ସେ କହିଛନ୍ତି କି ଜିନିଷ ଯେତେ ବଦଳେ ତାର ଗୁଣ ପ୍ରାରମ୍ଭିକ ଗୁଣ ଆଡକୁ ଅଧିକ ବିକଶିତ ହୋଇଥାଏ । ତେଣୁ ଆଜି ପୁଣିଥରେ ମୁଁ ସେହି ବହି ପଢିବାକୁ ବାଧ୍ୟ ହେଉଛି ବୋଲି ମନୀଷ ତିୱାରୀ କହିଛନ୍ତି ।

ମନୀଷ ତିୱାରୀଙ୍କର ଏଭଳି ବୟାନ ପରେ ଅନୁମାନ କରାଯାଉଛି କି, କହ୍ନେୟା ଓ ଜିଗ୍ନେସ କଂଗ୍ରେସରେ ଯୋଗଦେବାକୁ ସେ ପଶନ୍ଦ କରୁ ନାହାନ୍ତି । କିଛିଦିନ ହେବ କଂଗ୍ରେସର ହାଇକମାଣ୍ଡଙ୍କ ଉପରେ ଅସନ୍ତୁଷ୍ଟ ଥିବା ମନୀଷଙ୍କ ଟ୍ୱିଟ୍ ଏବେ କଂଗ୍ରେସ ଶିବିରରେ ହଇଚଇ ସୃଷ୍ଟି କରିଛି । କହିରଖୁ କି ଆଜି (୨୮ ସେପ୍ଟେମ୍ବର) କମ୍ୟୁନିଷ୍ଟ ନେତା କହ୍ନେୟା କୁମାର ଓ ଦଳିତ ନେତା ଜିଗ୍ନେସ ମେୱାନୀ କଂଗ୍ରେସରେ ଯୋଗଦେବା ନେଇ ଏକ ପ୍ରକାର ନିଶ୍ଚିନ୍ତ ହୋଇଛି ।

ସୂଚନା ଥାଉକି ୨୦୧୯ ସାଧାରଣ ନିର୍ବାଚନରେ ବାମମେଣ୍ଟ ତରଫରୁ ବିହାରର ବେଗୁସରାଇ ସଂସଦୀୟ କ୍ଷେତ୍ରରୁ କହ୍ନେୟା କୁମାର ସାଂସଦ ଭାବେ ନିର୍ବାଚନ ଲଢିଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ବିଜେପିର ଗିରିରାଜ ସିଂଙ୍କ ଠାରୁ ୪ ଲକ୍ଷ ଭୋଟରେ ପରାଜିତ ହୋଇଥିଲେ । ଏହାପରେ ସିପିଆଇର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କହ୍ନେୟାଙ୍କର କିଛିଟା ମତଭେଦ ଦେଖିବାକୁ ମିଳିଥିଲା ।