କନକ ବ୍ୟୁରୋ : ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଗତକାଲି ଗିରଫ ପରେ ସିବିଆଇ ଆଜି ତାଙ୍କୁ କୋର୍ଟରେ ହାଜର କରିବ । ଏଥିସହ ଅଧିକ ଜେରା ପାଇଁ ରିମାଣ୍ଡରେ ନେବାକୁ ଅନୁମତି ମାଗିବେ ତଦନ୍ତକାରୀ ଅଧିକାରୀ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅଧିକ ଜେରା ପାଇଁ ଗତକାଲି ସିବିଆଇରେ ହାଜର ହୋଇଥିଲେ ମନୀଷ ସିସୋଦିଆ । ସିବିଆଇରେ ହାଜର ହେବା ପୂର୍ବରୁ ସିସୋଦିଆ ଏକ ରୋଡ ଶୋ କରିଥିଲେ ।

Advertisment

ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି ବୋଲି କହିଛି । ସିବିଆଇ କହିଛି, ୨୦୨୧-୨୨ ବର୍ଷ ପାଇଁ ପ୍ରସ୍ତୁତ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ମୁମ୍ବାଇ ସ୍ଥିତ ଏକ ଘରୋଇ କମ୍ପାନୀର ତତ୍କାଳୀନ ସିଇଓ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଡିସେମ୍ବର ୨୫ରେ ଚାର୍ଜସିଟ୍ ଦାଖଲ କରାଯାଇଛି ।

ସିବିଆଇ ଏହି ମାମଲାରେ ପୂର୍ବରୁ ଗତବର୍ଷ ଅକ୍ଟୋବର ୧୭ରେ ସିସୋଦିଆଙ୍କୁ ଯେଉଁ ପ୍ରଶ୍ନ କରିଥିଲା ସେହି ସମାନ ପ୍ରଶ୍ନ ଗତକାଲି ମଧ୍ୟ କରିଥିଲା । ହେଲେ ସିସୋଦିଆ ଏହାର ଉତର ଏଡାଇ ଦେଇଥିଲେ ବୋଲି ସୂଚନା ରହିଛି । ସେହିପରି ସିସୋଦିଆ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ନେଇ ପ୍ରମାଣ ଯୋଗାଡ଼ କରାଯାଇଛି । ତେଣୁ ଗିରଫ କରାଯାଇଛି ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି । ଗତ ବର୍ଷ ଦିଲ୍ଲୀ ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ଉପରାଜ୍ୟପାଳ ।