କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଆମ୍ ଆଦମୀ ପାର୍ଟିର ନେତା ମନୀଷ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ ଝଟକା ଲାଗିଛି । ସିସୋଦିଆଙ୍କ ତରଫରୁ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଆଜି ଖାରଜ କରିଦେଇଛନ୍ତି । ପୂର୍ବ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ତଳ କୋର୍ଟର ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ । ହେଲେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଆଜି ଏହି ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି ସିସୋଦିଆଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି ତେଣୁ ଜାମିନ ଦିଆଗଲେ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି । ଏହି ଆଧାରରେ ଦିଲ୍ଲୀ ହାଇକୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।
ସେପଟେ ଆମ୍ ଆଦମୀ ପାର୍ଟି ତରଫରୁ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଶୁଣାଣି ପୂର୍ବରୁ ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଅଣାଯାଇଥିଲା । ଦଳ ତରଫରୁ କୁହାଯାଇଥିଲା କି ଦିଲ୍ଲୀ ପୋଲିସ ସିସୋଦିଆଙ୍କ ଉପରେ ବର୍ବରୋଚିତ ଆଚରଣ ଦେଖାଉଛି । ଏହାସହ ଦିଲ୍ଲୀ ପୋଲିସ ମନୀଷ ସିସୋଦିଆଙ୍କୁ ଶାରୀରିକ ଯନ୍ତ୍ରଣା ଦେଉଥିବାର ଏକ ଭିଡିଓ ମଧ୍ୟ ଆପ୍ ପକ୍ଷରୁ ଜାରି କରାଯାଇଥିଲା ।
ଏହି ଅଭିଯୋଗ ଉପରେ ଦିଲ୍ଲୀ ପୋଲିସ କହିଥିଲା କି ଏହା ପୋଲିସ ବିରୋଧରେ ଏକ ମନଗଢା ଅପପ୍ରଚାର । ନ୍ୟାୟିକ ହେପାଜତରେ ବନ୍ଦ ଥିବା ଜଣେ ଅଭିଯୁକ୍ତ ଗଣମାଧ୍ୟମକୁ ବୟାନ ଦେବା ଆଇନ ବିରୋଧୀ ବୋଲି ଦିଲ୍ଲୀ ପୋଲିସ କହିଛି ।