ମନୀଷ ଅନୁରାଗ ହତ୍ୟା ମାମଲା । ରହସ୍ୟ ଉପରୁ ପରଦା ହଟାଇବାକୁ ପୁଲିସର ଶେଷ ଭରସା ମିଛ ଧରା ପରୀକ୍ଷା

୩ ଅଭିଯୁକ୍ତ ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ୯ ଘଂଟାରେ ପଚରା ଗଲା ୧୭୩ ପ୍ରଶ୍ନ 

73

କନକ ବ୍ୟୁରୋ : ମନୀଷ ଅନୁରାଗ ହତ୍ୟା ରହସ୍ୟ ଉପରୁ ପରଦା ହଟାଇବାକୁ ପୁଲିସର ଶେଷ ଭରସା ମିଛ ଧରା ପରୀକ୍ଷା । ୩ ଅଭିଯୁକ୍ତ ଅମ୍ରିତ ପ୍ରୀତମ ବିଶ୍ବାଳ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କ ମିଛଧରା ପରୀକ୍ଷା କରାଯାଇ ସେମାନଙ୍କୁ ଏଭଳି ପ୍ରଶ୍ନ ପଚରାଯାଇଥିବା ଜଣାପଡ଼ିଛି ।

ମିଛ ଧରା ପରୀକ୍ଷାରେ ପ୍ରଶ୍ନ ?
– ମନୀଷ ସାଙ୍ଗରେ ହୋଟେଲରେ ବିଲ ପେମେଂଟକୁ ନେଇ କାହା ସହ ଝଗଡ଼ା ହୋଇଥିଲା ?
– ହୋଟେଲ ବାହାରେ ମନୀଷଙ୍କୁ ମାଡ ମାରିଥିଲା କିଏ ?
– ମନିଷ ଅନୁରାଗଙ୍କୁ ହତ୍ୟା କରିଥିଲା କିଏ ?
– ତିନି ଜଣ ଯାକ ମାଡ ମାରିବାରୁ ମୃତ୍ୟୁ ହୋଇଛି କି ?
– ମନୀଷଙ୍କୁ ତଂଟି ଚିପି କିମ୍ବା ମୁହଁ ଚାପି ହତ୍ୟା କରିଛ କି ?
– ହତ୍ୟା କରିବା ପରେ କ’ଣ ତିନି ଜଣ ନେଇ ପୋଖରୀରେ ଫିଙ୍ଗିଛ ?
– ମନୀଷଙ୍କୁ ପୋଖରୀ ପର୍ଯ୍ୟନ୍ତ କିପରି ନେଲ ?
– କାରରେ ନେଲ ନା ଟେକିଟେକି ନେଇଥିଲ ?
– ମନୀଷଙ୍କ ସହ ପୂର୍ବରୁ କିଛି ଶତ୍ରୁତା ଥିଲା କି ?
– କ’ଣ ଯୋଜନାବଦ୍ଧ ଭାବେ ମନୀଷଙ୍କୁ ହତ୍ୟା କରାଯାଇଛି ?

ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାରେ କମିସନରେଟ ପୁଲିସ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ। ଯାହାଫଳରେ ହତ୍ୟାକାଣ୍ଡର ୧୬ ଦିନ ପରେ ଏବେ ମିଛଧରା ପରୀକ୍ଷାର ସହାୟତା ନେଇଛି । ଗତକାଲି ପୂର୍ବାହ୍ନ ୯ଟା ୪୫ରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ପ୍ରାୟ ୯ ଘଣ୍ଟା ଧରି ଜଣଙ୍କ ପରେ ଜଣେ ତିନି ଅଭିଯୁକ୍ତଙ୍କର ଲାଏ ଡିଟେକ୍ସନ୍ ଟେଷ୍ଟ ହୋଇଥିଲା । ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ଲାଗି ୧୭୩ଟି ପ୍ରଶ୍ନ ପ୍ରସ୍ତୁତ କରାଯାଇଥିଲା । ଅଧିକାଂଶ ପ୍ରଶ୍ନରେ ସେମାନେ ହଡ଼ବଡ଼େଇ ଯାଇଥିଲେ। ଏହି ପରୀକ୍ଷାର ରିପୋର୍ଟ ପୁଲିସକୁ ଖୁବଶୀଘ୍ର ମିଳିବ ବୋଲି ଜଣାପଡ଼ିଛି ।

ଏହି ରିପୋର୍ଟ ଆଧାରରେ ପୁଲିସ ତଦନ୍ତ ଆଗକୁ ବଢ଼ାଇବ । କିନ୍ତୁ ତଦନ୍ତ ଏବଂ ରିମାଣ୍ଡ ସମୟରେ ଅଭିଯୁକ୍ତଙ୍କ ଠାରୁ ଘଟଣା ସମ୍ପର୍କରେ ସେମିତି କିଛି ତଥ୍ୟ ହାସଲ କରିପାରି ନ ଥିବା ପୁଲିସକୁ ମିଛଧରା ପରୀକ୍ଷା ରିପୋର୍ଟ କେତେ ସହାୟକ ହେବ ତାକୁ ନେଇ ପ୍ରଶ୍ନ ଉଠିଛି। ଆଇନଜୀବୀ ସିଦ୍ଧାର୍ଥ ଦାସଙ୍କ କହିବା ଅନୁସାରେ, ଅଭିଯୁକ୍ତ ବିଚାରୀଧୀନ କଏଦୀ ଥିବାରୁ ତାଙ୍କ ସମ୍ମତିରେ ଏହି ପରୀକ୍ଷା କରାଯାଇଥାଏ । ଏହା ତଦନ୍ତରେ ସହାୟକ ହୋଇପାରିବ, କିନ୍ତୁ ପରୀକ୍ଷା ରିପୋର୍ଟ ବଳରେ କୋର୍ଟରେ ଦୋଷୀ ପ୍ରମାଣିତ କରାଯାଇ ପାରିବ ନାହିଁ ।

ସୂଚନାଯୋଗ୍ୟ, ଚଳିତମାସ ୯ ତାରିଖରେ ମନୀଷଙ୍କୁ ବନ୍ଧୁ ଅମ୍ରିତ ଓ ଅନ୍ୟ ଦୁଇ ସାଥୀ ଦୀନେଶ ଏବଂ ମୃତ୍ୟୁଞ୍ଜୟ ସହ ଏକ କାର୍‌ରେ ପଟିଆରୁ ବ୍ୟାଚେଲର ପାର୍ଟି ଦେବା ବାହାନାରେ ଉଠାଇ ଆଣିଥିଲେ। ସେମାନେ ଲକ୍ଷ୍ମୀସାଗର ଅଞ୍ଚଳର ଏକ ବାର୍‌କୁ ଯିବା ପରେ ମଧ୍ୟରାତ୍ରିରେ ପାତ୍ରପଡ଼ା ସାଉଥ୍ ସିଟି ହୋଟେଲ ଓ ବାର୍‌କୁ ଯାଇଥିଲେ। ସେଠାରେ ରାତି ପ୍ରାୟ ସାଢ଼େ ୩ଟା ପର୍ଯ୍ୟନ୍ତ ସାଙ୍ଗମାନଙ୍କ ସହ ଖାଇପିଇ ମଉଜ କରିଥିଲେ । ବିଳମ୍ବିତ ରାତିରେ ମନୀଷ ଘରକୁ ଫୋନ୍ କରି ତାଙ୍କୁ ଅଟକ ରଖାଯିବା ସହ ମାରପିଟ୍ କରାଯାଉଥିବା କହିଥିଲେ ।

ଏହା ପରେ ପରିବାର ଲୋକ ତାଙ୍କ ଆକାଉଣ୍ଟକୁ ୮ ହଜାର ଟଙ୍କା ପଠାଇଥିଲେ । ତେବେ ମନୀଷଙ୍କ ମୋବାଇଲ ଫୋନ୍ ସୁଇଚ୍ ଅଫ୍ ହୋଇ ଯାଇଥିଲା। ପରିବାର ଲୋକ ଥାନାରେ ଏତଲା ଦେବା ପରଦିନ ଅର୍ଥାତ୍ ୧୦ ତାରିଖରେ ପାତ୍ରପଡ଼ା ନମ୍ରକାଣି ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।  ବାର୍‌ ବିଲ୍‌ ପେମେଣ୍ଟକୁ କେନ୍ଦ୍ରକରି ପାଟିତୁଣ୍ଡ ଓ ଠେଲା‌ପେଲାରୁ ମନୀଷଙ୍କୁ ହତ୍ୟା କରାଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ।