ବାରରୁ କିଭଳି ପୋଖରୀ ଯାଏଁ ପହଞ୍ଚିଲେ ମନୀଷ ? ମନୀଷଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ, ପାତ୍ରପଡାର ସାଉଥ ସିଟି ହୋଟେଲ ଉପରେ ପୋଲିସର ସନ୍ଦେହୀ ଆଖି ।

204

କନକ ବ୍ୟୁରୋ : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷର ମୃତ୍ୟୁ ମାମଲାକୁ ୨୪ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ଏହା ପଛର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ । ମୃତ୍ୟୁ ପୂର୍ବରୁ ଅର୍ଥାତ ଶନିବାର ରାତିରେ ଯେଉଁ ହୋଟେଲର ବାରରେ ମନୀଷଙ୍କୁ ଦେଖିବାକୁ ମିଳିଥିଲା ତାକୁ ସିଲ୍ କରିଦିଆଯାଇଛି । ଏହାର ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି କମିଶନରେଟ ପୋଲିସ । ସେପଟେ ବାରରୁ ବାହାରି କିଭଳି ପୋଖରୀ ନିକଟକୁ ଆସିଲେ ଓ ପୋଖରୀରେ ଖସିପଡିଲେ ତାର ଉତ୍ତର ଖୋଜା ଚାଲିଛି ।

ରାଜଧାନୀର ପାତ୍ରପଡାରେ ଥିବା ହୋଟେଲରେ କିଛି ଗୋଟିଏ ରହସ୍ୟ ଲୁଚି ରହିଛି । କାରଣ ଏହି ହୋଟେଲରେ, ମନୀଷଙ୍କର, ମୃତ୍ୟୁ ପୂର୍ବର ରାତି ବିତିଛି । ଆଉ ଏହାକୁ ବିଭିନ୍ନ ଦିଗକୁ ଦେଖୁଥିବା ସିସିଟିଭି କ୍ୟାମେରା ବି ଅନେକ କିଛି ରେକର୍ଡ କରିଥିବ ବୋଲି ଆଶା କରାଯାଉଛି ।

ହୋଟେଲ ବାରରେ ଶନିବାର ରାତି ପ୍ରାୟ ୪ଟାରେ ଶେଷ ଥର ପାଇଁ ମନୀଷଙ୍କୁ ଦେଖିବାକୁ ମିଳିଥିଲା । ଆଉ ମନୀଷଙ୍କ ଫୋନରୁ ସେହି ଭୋର ୪ଟା ୧୧ରେ ଶେଷ କଲ ଯାଇଥିଲା । ଆଉ ମନୀଷ କହୁଥିଲେ, ତାଙ୍କୁ କିଛି ଟଙ୍କା ଦରକାର, ଆଉ ସାଙ୍ଗ ମାନେ ତାଙ୍କୁ ଧୋକା ଦେଇ ଦେଇଛନ୍ତି ଏବଂ ଅପହରଣ ହୋଇଯାଇଛନ୍ତି । କିନ୍ତୁ ଏସବୁ କଥାର ରହସ୍ୟ ଏବେ ବି ରହସ୍ୟ ହୋଇ ରହିଛି ।

ଏହି ରହସ୍ୟ ଜନକ ମୃତ୍ୟୁ ଉପରୁ ପରଦା ହଟାଇବା ପାଇଁ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଥିବାବେଳେ, ମୃତ ଦେହର ଡାଏଟମ୍ ଟେଷ୍ଟ ଓ ଭିସେରା ପାଇଁ ପରୀକ୍ଷାଗାରକୁ ପଠାଯାଇଛି । ଅନ୍ୟପଟେ ମନୀଷଙ୍କ ବାପା ନବୀନ ଦାସ ଏକ ଭିଡିଓ ଜାରି କରି କହିଛନ୍ତି, ତାଙ୍କ ପୁଅକୁ ସାଙ୍ଗମାନେ ହିଁ ହତ୍ୟା କରିଛନ୍ତି ।

ମନୀଷ ମୃତ୍ୟୁ ମାମଲାରେ ୫ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବାବେଳେ, ପୋଲିସ ସ୍କାନରରେ ରହିଛି ଧଳା ରଙ୍ଗର ବାଲେନୋ ଗାଡି । ସେହି ଗାଡିରେ ଶେଷ ଥର ପାଇଁ ମନୀଷଙ୍କୁ ଅଣାଯାଇଥିଲା । ରହସ୍ୟର ଏହି କାହାଣୀ ଭିତରେ ଅନେକ ପ୍ରଶ୍ନ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।

– ମନୀଷଙ୍କୁ ହତ୍ୟା କରାଯାଇଛି ନା ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ହୋଇଛି ?
– ଯଦି ପୋଖରୀରେ ବୁଡି ମୃତ୍ୟୁ ହୋଇଥାନ୍ତା, ତେବେ ସାଙ୍ଗମାନେ କାହିଁକି ଫେରାର ହୋଇ ଯାଇଥାନ୍ତେ ?
– ପାତ୍ରପଡାର ସେହି ହୋଟେଲରୁ ପୋଖରୀ ନିକଟକୁ କେମିତି ଆସିଲେ ମନୀଷ ?
– ଯଦି ହତ୍ୟା କରାଯାଇଛି ତେବେ ଶରୀରରେ କୌଣସି କ୍ଷତ ଚିହ୍ନ କେମିତି ନାହିଁ ?
– ନା ପୋଖରୀକୁ ଠେଲି ହତ୍ୟା କରାଯାଇଛି ?