ମନୀଷ ମୃତ୍ୟୁ ମାମଲା: ଶେଷ ହୋଇଆସୁଛି ତଦନ୍ତ, ଖୁବଶୀଘ୍ର ରହସ୍ୟ ଉପରୁ ଉଠିପାରେ ପରଦା

162

କନକ ବ୍ୟୁରୋ: ମନୀଷ ମୃତ୍ୟୁ ମାମଲାରେ ଅନ୍ତିମ ଅଙ୍କର ଏକଦମ୍ ନିକଟତର ହୋଇସାରିଛି ପୋଲିସ । ଅର୍ଥାତ ଖୁବଶୀଘ୍ର ଏହି ରହସ୍ୟକୁ ଭେଦ କରିବ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । କନକ ନ୍ୟୁଜ ହାତରେ ଲାଗିଥିବା ଏହି ସିସିଟିଭି ଫୁଟେଜରେ ଦେଖାଯାଉଥିବା ଲୋକମାନେ ମନୀଷଙ୍କ ସାଙ୍ଗ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଏପରିକି ଭିଡିଓରେ ସେମାନେ ଥିବା ପୋଲିସ ଆଗରେ ସ୍ୱୀକାର କରିସାରିଛନ୍ତି । ଅର୍ଥାତ ଘଟଣା ଦିନ ରାତିରେ କିଛି ଏମିତି ଘଟିଥିଲା, ଯାହାକୁ ନେଇ ମନୀଷଙ୍କ ସାଙ୍ଗମାନେ ବିଚଳିତ ହୋଇପଡିଥିଲେ । ଏବଂ ବିଳମ୍ବିତ ରାତିରେ ପାତ୍ରପଡା ପୋଖରୀ ନିକଟରେ ବାରମ୍ବାର ଚକ୍କର କାଟୁଥିଲେ । ଯେଉଁଥିରୁ ମନୀଷଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ବଢିବାରେ ଲାଗିଛି ।

ଏପଟେ ବରିଷ୍ଠ ଆଇନଜୀବୀଙ୍କ ମତରେ ମୃତଦେହ ମିଳିଥିବା ସ୍ଥାନରେ ଏମାନେ ଚଳପ୍ରଚଳ କରୁଥିବାରୁ ଏବଂ ଏହା ମୃତ୍ୟୁ ମାମଲାର ଶେଷ ଦୃଶ୍ୟ ହୋଇଥିବାରୁ ମନୀଷଙ୍କ ସାଙ୍ଗମାନଙ୍କ ଉପରକୁ ସିଧାସିଧା ସନ୍ଦେହ ଯାଉଛି । ତେଣୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରି ପୋଲିସ ନିର୍ଯାସରେ ପହଂଚି ପାରିବ ବୋଲି ମତ ଦେଇଛନ୍ତି ବରିଷ୍ଠ ଆଇନଜୀବୀ ବନ ମହାନ୍ତି ।

ପୋଲିସ ହେପାଜତରେ ଥିବା ମନୀଷଙ୍କ ସାଙ୍ଗମାନଙ୍କୁ ଗୁଡାଉ ତୁଡାଇ ଜେରା କରଯାଉଛି । ମନୀଷ ଓ ସାଙ୍ଗମାନଙ୍କ ମଧ୍ୟରେ ପାଟତୁଣ୍ଡ ହୋଇଥିବା କଥା ସେମାନେ ସ୍ୱୀକାର କରିଛନ୍ତି । କିନ୍ତୁ କାହିକିଁ ପାଟିତୁଣ୍ଡ ହୋଇଥିଲା ତାହା ଏଯାଏଁ ଜଣାପଡିନାହିଁ । ହୋଟଲରେ ବିଲକୁ ନେଇ ଗଣ୍ଡଗୋଳ ହୋଇଥିବା ସନ୍ଦେହରେ ପୋଲିସ ପଚରା ଉଚରା ଚଳାଇଛି । ସମସ୍ତଙ୍କୁ ଏକାଠି ବସାଇ ପ୍ରଶ୍ନ କଲାବେଳେ ସେମାନଙ୍କ କଥାରେ ତାଳମେଳ ରହୁନଥିବା ଜଣାପଡିଛି ।

ଘଟଣାସ୍ଥଳ ଆଖପାଖର ସିସିଟିଭି ଫୁଟେଜ ଏବଂ ମନୀଷଙ୍କ ସାଙ୍ଗ ମାନଙ୍କୁ ଜେରା ଆଧାରରେ ପୋଲିସ ଏହି ପୁରା ମାମଲାର ନିର୍ଯାସରେ ପହଂଚିଯିବ ବୋଲି ଅନୁମାନ କରାଯାଉଛି ।