ମନୀଷ ମୃତ୍ୟୁ ମାମଲା : ତିନି ସାଙ୍ଗଙ୍କୁ ଆଜିଠାରୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୁଲିସ

ରହସ୍ୟ ଉପରୁ ପରଦା ହଟାଇବାକୁ ୪ ଦିନ ମିଳିଛି ରିମାଣ୍ଡ; କେମିତି ହେଲା ହତ୍ୟାକାଣ୍ଡ, ଏବେ ବି ଦ୍ୱନ୍ଦ୍ୱ

151

କନକ ବ୍ୟୁରୋ : ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲା । କମିସନରେଟ ପୁଲିସ ଅଭିଯୁକ୍ତ ଅମ୍ରିତ ପ୍ରୀତମ ବିଶ୍ବାଳ ଏବଂ ତା’ର ୨ ସାଙ୍ଗ ଦିନେଶ କୁମାର ମହାପାତ୍ର ଓ ମୃତ୍ୟଞ୍ଜୟ ମିଶ୍ରଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିବ । ଆଜିଠାରୁ ୩ ଅଭିଯୁକ୍ତଙ୍କୁ ୪ଦିନିଆ ରିମାଣ୍ଡରେ ଆଣିବା ଲାଗି ଭୁବନେଶ୍ବର ଜେଏମଏଫସି ଅନୁମତି ଦେଇଛନ୍ତି । ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବା ପାଇଁ ଇନ୍‌ଫୋସିଟି ପୁଲିସ ଭୁବନେଶ୍ବର ଜେଏମ୍‌ଏଫ୍‌ସିରେ ଆବେଦନ କରିଥିଲା । ରବିବାର ଦିନ ଜେଏମ୍‌ଏଫ୍‌ସି ମାମଲାର ଗୁରୁତ୍ବ ଅନୁଭବ କରି ୪ଦିନିଆ ରିମାଣ୍ଡରେ ଆଣିବାକୁ ଅନୁମତି ଦେଇଛନ୍ତି । ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ ଓ କ୍ରାଇମ୍ ସିନ୍‌ର ସମସ୍ତ ପୂରା ଥିଓରିକୁ ଚାର୍ଜସିଟ୍‌ରେ ଦାଖଲ କରିବା ପାଇଁ ଆସନ୍ତାକାଲିଠାରୁ ଇନ୍‌ଫୋସିଟି ପୁଲିସ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ।

ଅପରପକ୍ଷରେ ଏମ୍ସ ପକ୍ଷରୁ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ବନ୍ଧୁମାନଙ୍କ ଆକ୍ରମଣରେ ମନୀଷଙ୍କ ମୃତ୍ୟୁ ହୋଇଛି ବୋଲି ପୁଲିସ ଗତକାଲି ସୂଚନା ଦେଇଥିଲା । ତେଣୁ ଏହି ଦୁଇଟି ତଥ୍ୟକୁ ଅନୁଶୀଳନ କଲେ, ଉଭୟ ପ୍ରାଥମିକ ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟରେ କୌଣସି ତାଳମେଳ ନାହିଁ । ତେଣୁ ଚାର୍ଜସିଟ୍ ଦାଖଲ କରିବା ସମୟରେ ଏହା ପୁଲିସ ପାଇଁ ଏକ ବଡ଼ ଅନ୍ତରାୟ ସୃଷ୍ଟି ହେବ ବୋଲି କୁହାଯାଉଛି । ତେଣୁ ସୋମବାରରୁ ରିମାଣ୍ଡରେ ଆଣିବା ପରେ ହତ୍ୟାକାଣ୍ଡ ଘଟିଥିବା ପାତ୍ରପଡ଼ାର ହୋଟେଲ୍ ସାଉଥ୍‌ ସିଟିଠୁ ଆରମ୍ଭ କରି ନମ୍ରକାନି ପୋଖରୀରେ ମନୀଷଙ୍କ ମୃତ ଶରୀର ଫୋପାଡ଼ିବା ପର୍ଯ୍ୟନ୍ତ ସବୁ କିଛି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ ।

ଅପରପକ୍ଷରେ ବରିଷ୍ଠ ଆଇନଜୀବୀ କହିଛନ୍ତି ଯେ ପୁଲିସ ସାମ୍ବାଦିକ ସମ୍ମିଳନୀ କରି ଯେଉଁସବୁ ତଥ୍ୟ ଦେଇଛି ତାହା ଅସ୍ପଷ୍ଟ ଏବଂ ଯଥେଷ୍ଟ ନୁହେଁ । ୩ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଏକାଧିକ ଦଫାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । କାରଣ ଦଫା ୩୬୪(କ) ହେଉଛି ମୁଣ୍ଡ ଜାମିନ ରଖି ଟଙ୍କା ମାଗିବା। ମାତ୍ର ମନୀଷଙ୍କ କ୍ଷେତ୍ରରେ ସେ ନିଜେ ସାଙ୍ଗଙ୍କ ସହ ବ୍ୟାଚେଲର ପାର୍ଟି ଯାଇଥିବା ପୁଲିସ ସୂଚନା ଦେଇଛି। ମାତ୍ର ବିଲ୍‌କୁ ନେଇ ବଚସା ହେବା ପରେ ଅଘଟଣ ଘଟିଲା। ତେଣୁ ଏଠାରେ ଏ ଦଫା କାହିଁକି ? ସେହିଭଳି ଦଫା ୩୦୨ ଅର୍ଥାତ୍‌ ହତ୍ୟା କରିବା । ପୁଲିସ କହୁଛି ଯେ ଠେଲାପେଲା ଓ ଆକ୍ରମଣ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ହେଲେ କେଉଁସ୍ଥାନରେ ସାଙ୍ଗମାନେ ଆକ୍ରମଣ କଲେ। ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲେ ବି ଶରୀରର ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ଅଙ୍ଗରେ କାହିଁକି କ୍ଷତ ଚିହ୍ନ ନାହିଁ ।

ଯାହାଦ୍ବାରା ପୁଲିସର ତଦନ୍ତ ପ୍ରକ୍ରିୟାରେ କେଉଁଠି ତ୍ରୁଟି ରହୁଛି ବୋଲି ଅନୁଭୂତ ହେଉଥିବା ସେ କହିଛନ୍ତି। ଖାଲି ଏତିକି ନୁହେଁ, ମନୀଷଙ୍କ ସାଙ୍ଗମାନେ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରୁଥିଲେ ନା ଏମିତି ଆକ୍ରମଣ କରୁ କରୁ ଆକସ୍ମିକ ଭାବେ ମୃତ୍ୟୁ ଘଟିଲା ତା’ ମଧ୍ୟ ସ୍ପଷ୍ଟ ହୋଇନାହିଁ । ସେହିଭଳି ପୋଖରୀରେ ପଡ଼ିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସ୍ପଷ୍ଟ ଜଣାପଡ଼ିଥିବାରୁ ତାଙ୍କ ବନ୍ଧୁମାନେ ତାଙ୍କ ଶବକୁ କେମିତି ନେଇ ପୋଖରୀରେ ଫୋପାଡ଼ିଲେ। ଆଉ ଶବ ଫୋପାଡ଼ିବା ପରେ ଅଭିଯୁକ୍ତ ସ୍ବାଗତ ଇନ୍ ପର୍ଯ୍ୟନ୍ତ କେମିତି ଗଲେ । ସେଠାରୁ କନ୍ଧମାଳ ପର୍ଯ୍ୟନ୍ତ କେମିତି ଗଲେ ଏଭଳି ମାଳ ମାଳ ପ୍ରଶ୍ନ ରହିଥିବା ଶ୍ରୀ ଦାସ କହିଛନ୍ତି । ଏହାଛଡ଼ା ମନୀଷଙ୍କ ମୃତ୍ୟୁ ଘଟିବା ପରେ ତାଙ୍କୁ କାହିଁକି ଡାକ୍ତରଖାନା ନିଆଗଲାନି ଏବଂ ଘରଲୋକ ବା ପୁଲିସକୁ ସୂଚନା ଦିଆଗଲାନି, ସେ ଦିଗକୁ ନେଇ ମଧ୍ୟ ତଦନ୍ତ କରିବ ବୋଲି ସେ କହିଛନ୍ତି ।