କନକ ବ୍ୟୁରୋ : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ମୃତ୍ୟୁ ଘଟଣାରେ ସେହି ସାଉଥ ସିଟି ହୋଟେଲ ପୁଣି ଚର୍ଚ୍ଚାକୁ ଆସିଛି । ଆଜି ସେହି ହୋଟେଲ ଭିତରର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ମନୀଷ ଓ ତାଙ୍କ ସାଙ୍ଗମାନେ ବାରରେ ବସି ଥିବା ବେଳେ, ଏପଟେ କେମିତି ନୃତ୍ୟାଙ୍ଗନାଙ୍କ ଉପରେ ଟଙ୍କା ଫୋପଡା ଯାଉଥିଲା, ସେ ସମ୍ପର୍କିତ କିଛି ଦୃଶ୍ୟ ସାମ୍ନାକୁ ଆସିଛି । ଏଥିସହ ହୋଟେଲ ସହ ସମ୍ପର୍କିତ ହାବିଲଦାର ଓ କନେଷ୍ଟବଳ ମହାସଂଘର ସଭାପତି ପ୍ରସନ୍ନ ବେହେରାଙ୍କୁ ଅଟକ ରଖିଛି ପୋଲିସ । ସେପଟେ ତମାଣ୍ଡୋ ଥାନା ଆଇଆଇସିଙ୍କୁ ବଦଳି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡ଼ିସିପି ।
ସାଉଥ ସିଟି ବାରରେ ଯେତେବେଳେ କମିଶନରେଟ୍ ପୋଲିସ୍ ଚଢ଼ାଉ କରିଥିଲା, ଦେଖିବାକୁ ମିଳିଥିଲା କଛିି ରୋଚକ ଦୃଶ୍ୟ । ଚଟାଣ ଉପରେ ବିଛେଇ ହୋଇ ପଡ଼ିଥିଲା ବିଡ଼ା ବିଡ଼ା ନୋଟ୍ । ଅବଶ୍ୟ ଏସବୁ ନକଲି ନୋଟ୍ । ବାର ଭିତରେ ନାଚ ବେଳେ ଉତ୍ସାହିତ ଗ୍ରାହକ ଏହି ନୋଟ୍ ଉଡ଼ାଇ ଥାନ୍ତି । ମନୀଷ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଥିଲା ସାଉଥ ସିଟି ବାର । ମୃତ୍ୟୁ ଦିନ ରାତିରେ ଏହି ବାରରେ ପାର୍ଟି କରିଥିଲେ ମନୀଷ । ଏହାପରେ ବିଲ୍ ପେମେଂଟକୁ ନେଇ ବିବାଦ ହୋଇଥିଲା ଓ ଏହି ବିବାଦକୁ ନେଇ ମନୀଷଙ୍କ ଜୀବନ ଯାଇଥିଲା । ଏହାପରେ ହୋଟେଲକୁ ସିଲ୍ କରିଦେଇଥିଲା ପୋଲିସ୍ ।

Advertisment

ସେପ୍ଟମ୍ବର ୩୦ ତାରିଖରୁ ବାର ଲାଇସେନ୍ସ ଅବଧି ସରିଛି କିନ୍ତୁ ବେଆଇନ ଭାବେ ସାରା ରାତି ବାର ଚାଲିଥିଲା, ଆଉ ମଦର ଆସର ଜମୁଥିଲା ସେପଟେ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ କରାଯାଇଛି । ଭାଇଙ୍କ ନାଁରେ ବାର ଲାଇସେନ୍ସ ଆଣି ବେଆଇନ କାରବାର ଚଳାଇଥିଲେ ପ୍ରସନ୍ନ । ପ୍ରସନ୍ନଙ୍କ ସହ ସାଉଥ ସିଟି ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନାଙ୍କୁ ପୋଲିସ କବଜାକୁ ନେଇଛି । ତମାଣ୍ଡୋ ଥାନା ଆଇଆଇସିଙ୍କୁ ମଧ୍ୟ ବଦଳି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡ଼ିସିପି ।

ସେପଟେ ମନିଷ ଅନୁରାଗଙ୍କ ହତ୍ୟାକାଣ୍ଡ ମାମଲାରେ ଗିରଫ ଅଭିଯୁକ୍ତଙ୍କର ଲାଏ ଡିଟେକସନ୍ ଟେଷ୍ଟ କରିବା ପାଇଁ ଯୋଜନା କରୁଛି କମିଶନରେଟ୍ ପୁଲିସ । ତିନି ଅଭିଯୁକ୍ତଙ୍କ ୪ ଦିନିଆ ରିମାଣ୍ଡ ଅବଧି ଶେଷ ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଆବଶ୍ୟକ ପଡିଲେ, ଅଧିକ ତଥ୍ୟ ପାଇଁ ଅଭିଯୁକ୍ତଙ୍କୁ ପୁଣିଥରେ ରିମାଣ୍ଡରେ ଆଣିପାରେ ପୁଲିସ ।