କନକ ବ୍ୟୁରୋ : ରହସ୍ୟ ଘେରରେ ମନୀଷ ଅନୁରାଗଙ୍କ ମୃତ୍ୟୁର କାରଣ । ରବିବାରଦିନ ପାତ୍ରପଡାରୁ ମନୀଷଙ୍କ ମୃତଦେହ ମିଳିବା ପରେ ୩୬ ଘଂଟାରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଏଯାଏଁ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିପାରିନାହିଁ । ପୁଲିସ ଏହି ଘଟଣାରେ କିଛି ଜଣଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି । ମନୀଷଙ୍କୁ ଯେଉଁ ହୋଟେଲରେ ଦେଖାଯାଇଥିଲା, ସେହି ହୋଟେଲକୁ ସିଲ କରାଯାଇଛି । ଏବେ ସମସ୍ତଙ୍କ ନଜର ରହିଛି ମନୀଷଙ୍କ ପୋଷ୍ଟମର୍ଟମ ରିପୋର୍ଟ ଉପରେ । ରବିବାରଦିନ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତଦେହ ପାତ୍ରପଡାର ଏକ ପୋଖରୀରୁ ଉଦ୍ଧାର କରାଯାଇଥିଲା । ମୃତ୍ୟୁର ପ୍ରକୃତ କାରଣ ଏ ଯାଏଁ ଅସ୍ପଷ୍ଟ ହୋଇ ରହିଛି । ତେବେ ପୋଷ୍ଟମର୍ଟମ୍ କରିଥିବା ଡାକ୍ତରଙ୍କ ତଥ୍ୟ ଆଧାରରେ କିଛି ଗଣମାଧ୍ୟମ ପ୍ରକାଶ କରିଛନ୍ତି, ପାଣିରେ ପଡିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଛି ।
ଗୁଡୁର ପରିବାର ଲୋକଙ୍କ କହିବା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଗୁଡୁକୁ କିଛି ଲୋକ ଅପହରଣ କରିନେଇଛନ୍ତି ବୋଲି ଗୁଡୁ ହିଁ ଫୋନ କରି ଜଣାଇଥିଲା ଏବଂ କିଛି ଟଙ୍କା ପଠାଇବାକୁ କହିଥିଲା । ତେଣୁ ପରିବାର ଲୋକେ ଗୁଡୁଙ୍କ ଆକାଉଣ୍ଟ୍କୁ କିଛି ଟଙ୍କା ପଠାଇଥିଲେ । ଉକ୍ତ ଟଙ୍କା ଗୁଡୁ ଆକାଉଣ୍ଟ୍କୁ ଆସିବା ପରେ କେଉଁଠିକୁ ଯାଇଥିଲା, ପ୍ରଥମେ ସେନେଇ ଖୋଳତାଡ଼ ଆରମ୍ଭ କରିଥିଲା ପୁଲିସ । ବ୍ୟାଙ୍କ ଆକାଉଣ୍ଟ୍ର ତଥ୍ୟ ଛାନ୍ଭିନ୍ କରିବା ପରେ ଜଣାପଡ଼ିଥିଲା ଯେ ଗୁଡୁ ପାତ୍ରପଡ଼ାସ୍ଥିତ ହୋଟେଲ୍ ସାଉଥ୍ ସିଟି ବାର୍କୁ ଟଙ୍କା ଟ୍ରାନ୍ସଫର କରିଥିଲେ । ଏହାପରେ ପୁଲିସ ହୋଟେଲ୍ରେ ପହଞ୍ଚି ବାର୍ ମାଲିକ ଓ କର୍ମଚାରୀଙ୍କୁ ପଚରାଉଚରା କରିଥିଲା । ସେଠାରେ ଥିବା ସିସି କ୍ୟାମେରା ଯାଞ୍ଚରୁ ଜଣାପଡ଼ିଥିଲା ଯେ ଗୁଡୁ ଏକ କାର୍ରେ ଗୁଡୁ ଦୁଇଜଣ ଯୁବକଙ୍କ ସହିତ ବିଳମ୍ବିତ ରାତିରେ ବାର୍ ଭିତରକୁ ଯାଉଛନ୍ତି ।
ସେଠାରେ କିଛି ସମୟ ରହିବା ପରେ ସେମାନେ ଅଲଗା ଅଲଗା ହେଉଛନ୍ତି। ଗୁଡୁଙ୍କ ସହ ଯାଇଥିବା ଜଣେ ଯୁବକ କାର୍ରେ କେଉଁ ଆଡ଼େ ପଳାଇଥିବା ବେଳେ ଅନ୍ୟ ଏକ ଯୁବକଙ୍କ ସହ ଗୁଡୁ ବାଇକ୍ରେ ୧୬ନଂ ଜାତୀୟ ରାଜପଥ ଆଡ଼କୁ ଯାଇଛନ୍ତି । ଏନ୍ଏଚ୍ ପାଖରେ ପୂର୍ବରୁ ଥିବା ଉପସ୍ଥିତ ଥିବା ଅନ୍ୟ ୨ଜଣ ଯୁବକଙ୍କ ସହ ପରେ ଗୁଡୁ ଅନ୍ୟଆଡ଼େ ଯାଉଛନ୍ତି । ତେବେ ଏନ୍ଏଚ୍ରୁ ଏହି ୨ଜଣଙ୍କ ସହ ଗୁଡୁ କେଉଁଆଡ଼କୁ ଯାଇଥିଲେ ଏବଂ ସେ ୨ଯୁବକ କିଏ ଜାଣିବା ଲାଗି ପୁଲିସ ବର୍ତ୍ତମାନ ସେମାନଙ୍କୁ ଖୋଜୁଥିବା ଜଣାପଡ଼ିଛି ।