ମନିଷଙ୍କ ମୃତ୍ୟୁ ମାମଲାକୁ ନେଇ ବଢ଼ୁଛି ରହସ୍ୟ : ଭୋର ୪ଟା ୧୧ ରୁ ୪ଟା ୧୮ ଭିତରେ ମୃତ୍ୟୁ ହୋଇଥିବା ସୂଚନା

132

କନକ ବ୍ୟୁରୋ : ମନିଷ ଅନୁରାଗଙ୍କ ମ୍ୟତ୍ୟୁ ମାମଲାକୁ ନେଇ ବଢ଼ୁଛି ରହସ୍ୟ । ଶ୍ୱାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥିମିକ ରିପୋର୍ଟରୁ ସ୍ପଷ୍ଟ ହେବା ପରେ ସନ୍ଦେହ ବଢ଼ିଛି । ଏଥିସହ ଭୋର ୪ଟା ୧୧ ରୁ ୪ଟା ୧୮ ଭିତରେ ମନିଷଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମନିଷଙ୍କର କେମିତି ଶ୍ୱାସରୁଦ୍ଧ ହେଲା ? କେହି ତାଙ୍କ ତଂଟି ଚିପି ଦେଇଥିଲେ କି ? କିମ୍ବା ମୁହଁରେ କପଡା ପକାଇ ଚାପି ଶ୍ୱାସ ରୁଦ୍ଧ କରିଥିଲେ କି? ଏସବୁ ଦିଗରୁ ପୋଲିସ ତଦନ୍ତ କରୁଛି । ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ତାଙ୍କର ଦୁଇ ସାଙ୍ଗଙ୍କୁ ଅଟକ ରଖିଛି ପୋଲିସ । ଅଟକ ଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ସାମ୍ବାଦିକ ଥିବା ସୂଚନା ମିଳିଛି । ଏମାନେ ସେହି ରାତିରେ ମନିଷ ସହ ଥିବା ପୋଲିସ ପ୍ରମାଣ ପାଇବା ପରେ ସେମାନଙ୍କୁ ଉଠାଇ ଆଣି ପୋଲିସ ପଚରାଉଚରା କରୁଛି ।

ଏମ୍ସ କର୍ତ୍ତୃପକ୍ଷଙ୍କ ପ୍ରାଥମିକ ସୂଚନାରୁ ମନୀଷ ଶ୍ବାସରୁଦ୍ଧ ହେବା ଯୋଗୁଁ ମୃତ୍ୟୁବରଣ କରିଥିବା କୁହାଯାଉଛି । ତେବେ କେତେବେଳେ ଶ୍ବାସରୁଦ୍ଧ ହେଲା ତା’ର କୌଣସି ନିର୍ଦ୍ଦିଷ୍ଟ ସମୟ କଥା କୁହାଯାଇ ନାହିଁ। ଜଣେ ବରିଷ୍ଠ ଡାକ୍ତରଙ୍କ କହିବାନୁଯାୟୀ, ମନୀଷଙ୍କ ଶବ ବ୍ୟବଚ୍ଛେଦ ସମୟରେ ସେ ଖାଇଥିବା ଖାଦ୍ୟ ଓ ଅନ୍ୟାନ୍ୟ ଜିନିଷ ହଜମ ହୋଇନଥିଲା । ଜଣେ ମଣିଷ ଖାଦ୍ୟ ଖାଇବାର ସାଧାରଣତଃ ୬ରୁ ୮ଘଣ୍ଟା ମଧ୍ୟରେ ଖାଦ୍ୟ ହଜମ ହୋଇଯାଏ ବୋଲି ସେ କହିଛନ୍ତି । ତେଣୁ ମନୀଷଙ୍କ ପାକସ୍ଥଳୀରେ ଖାଦ୍ୟ ହଜମ ନ ହୋଇଥିବା ଶବ ବ୍ୟବଚ୍ଛେଦ ସମୟରେ ଦେଖିବାକୁ ମିଳିଥିବାରୁ ସେ କେତେବେଳେ କଣ କଣ ଖାଇଛନ୍ତି ତା’ର ପ୍ରକୃତ ତଥ୍ୟ ଜାଣିବା ପାଇଁ କିଛି ନମୁନା ହାଇଦ୍ରାବାଦ୍ ପଠାଯାଇଛି । ଅପରପକ୍ଷରେ ମନୀଷଙ୍କ ଶରୀର ରବିବାର ମଧ୍ୟାହ୍ନ ୧୨ଟା ୪୫ବେଳକୁ ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକ ଦେଖିଥିଲେ ।

ତେବେ କେତେବେଳେ ତାଙ୍କୁ ପୋଖରୀକୁ ବୁଡ଼ାଗଲା ବା ଠେଲିଦିଆଗଲା ତା’ର କୌଣସି ତଥ୍ୟ ସାଇଣ୍ଟିଫିକ୍ ଟିମ୍‌ର ହସ୍ତଗତ ହୋଇନାହିଁ । ମାତ୍ର ଜଣେ ବରିଷ୍ଠ କର୍ମଚାରୀଙ୍କ ସୂଚନାନୁଯାୟୀ, ପ୍ରାୟ ୩ରୁ ୪ଘଣ୍ଟା ଗୋଟେ ଶରୀର ପାଣିରେ ବୁଡ଼ିବା ପରେ ଏହାର ଫୁସ୍‌ଫୁସ୍‌ରେ ପାଣି ପଶେ ଏବଂ ଆଭ୍ୟନ୍ତରୀଣ ଅଙ୍ଗରୁ ନିର୍ଗତ ଗ୍ୟାସ ଶରୀର ସାରା ଖେଳିଯିବା ପରେ ଶରୀର ସଂପୂର୍ଣ୍ଣ ଫୁଲିଯାଏ । ଏହା ପରେ ଯାଇ ଶରୀର ପାଣି ଉପରକୁ ଭାସି ଉଠେ । ତେଣୁ ଉଭୟ ଏମ୍ସ ଓ ସାଇଣ୍ଟିଫିକ୍ ଟିମ୍‌ର ରିପୋର୍ଟ ଅନୁଯାୟୀ ସମ୍ଭବତଃ ମନୀଷଙ୍କୁ କାର୍‌ରେ ହିଁ ହତ୍ୟା କରାଯିବା ପରେ ତାଙ୍କ ଶରୀରକୁ ଭୋର୍ ୫ରୁ ସକାଳ ୬ଟା ମଧ୍ୟରେ ପୋଖରୀରେ ଫିଙ୍ଗି ଦିଆଯାଇଛି ବୋଲି ସନ୍ଦେହ କରାଯାଉଛି ।