ମନୀଷ ମୃତ୍ୟୁ ମାମଲାରେ ୩ ସାଙ୍ଗଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ଦେଲେ ଅନୁମତି । କେମିତି ହେଲା ହତ୍ୟାକାଣ୍ଡ, ଏବେବି ଦ୍ୱନ୍ଦ୍ୱରେ ପୋଲିସ ।

134

କନକ ବ୍ୟୁରୋ : ବହୁଚର୍ଚ୍ଚିତ ମନୀଷ ମୃତ୍ୟୁ ମାମଲାରେ ସୋମବାରଠାରୁ ପୁଲିସ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ । ଅମ୍ରିତ ବିଶ୍ୱାଳ, ମୃତ୍ୟୁଞ୍ଜୟ ମିଶ୍ର ଓ ଦୀନେଶ ମହାପାତ୍ରଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଆଉ ଏହି ସମୟରେ ଅଭିଯୁକ୍ତମାନେ ମନୀଷଙ୍କୁ କେମିତି ହତ୍ୟା କଲେ, ସେହି ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା କରିବ ତଦନ୍ତକାରୀ ଟିମ୍ ।

ଅମ୍ରିତ, ମୃତ୍ୟୁଞ୍ଜୟ ଓ ଦୀନେଶର ୪ ଦିନିଆ ରିମାଣ୍ଡ ସମୟ ପୁଲିସ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସମୟ ଭିତରେ ପୁଲିସକୁ ପୂରା ଅପରାଧର ଚିତ୍ର ସ୍ପଷ୍ଟ କରିବାକୁ ପଡିବ । କେମିତି ଏମାନେ ମନୀଷକୁ ଆକ୍ରମଣ କଲେ ଓ କେମିତି ତାଙ୍କର ମୃତ୍ୟୁ ହେଲା ସେନେଇ ଏବେ ବି ପୂରା ତଥ୍ୟ ପୁଲିସ ପାଖରେ ନାହିଁ ।

ପୁଲିସ କହିଲା, ଠେଲାପେଲା ଓ ମାରପିଟରେ ମନୀଷଙ୍କ ମୃତ୍ୟୁ ହୋଇଛି । ତେବେ ମନୀଷଙ୍କ ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିଲା କେମିତି? ଗୋଟିଏ ପଟେ ପୁଲିସ କହୁଛି ଯେ, ବାରରେ ବିଲ ପାଇଁ ବିବାଦ ପରେ ମନୀଷ ଓ ତାଙ୍କ ସାଙ୍ଗମାନଙ୍କ ଭିତରେ ବାଦବିବାଦ ହୋଇଥିଲା, ଏବଂ ସେଥିରୁ ଠେଲାପେଲା ଓ ମାରପିଟ ଯାଏଁ କଥା ଯାଇଥିଲା । ଏହି ସମୟରେ ତାଙ୍କର ମୃତ୍ୟୁ ହୋଇଗଲା ଏବଂ ସାଙ୍ଗମାନେ ମୃତଦେହକୁ ପୋଖରୀରେ ଫୋପାଡିଦେଲେ ।

ଏପଟେ କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ କହୁଛି ଏସଫେକ୍ସିଆ ଅର୍ଥାତ ଶ୍ୱାସରୁଦ୍ଧ ହୋଇ ମନୀଷଙ୍କ ମୃତ୍ୟୁ ହୋଇଥିଲା । ଯଦି ପୁଲିସ ଠିକ କହୁଛି ଏବଂ ପୋଷ୍ଟମର୍ଟମ ରିପୋର୍ଟ ବି ସତ, ତେବେ ସାଙ୍ଗମାନେ ତଣ୍ଟିଚିପି କିମ୍ବା ଅନ୍ୟ ଉପାୟରେ ଅଣନିଶ୍ୱାସୀ କରି ହତ୍ୟା କରିଛନ୍ତି । ପୋଷ୍ଟମର୍ଟମର ବିସ୍ତୁତ ରିପୋର୍ଟ ଆସିବା ପରେ ହୁଏତ ଏହି ଦିଗ ଆହୁରି ସ୍ପଷ୍ଟ ହୋଇପାରେ । କିନ୍ତୁ ମୃତଦେହରେ ବେକପାଖରେ ବି ସେଭଳି କୌଣସି ଚିହ୍ନ ମିଳିନାହିଁ ।

ତେବେ ପୁଲିସ ପାଇଁ ଆଉ ଏକ ଅଡୁଆ ହୋଇଛି, ମନୀଷଙ୍କ ଫୋନ ଏ ଯାଏଁ ମିଳିନାହିଁ । ଯଦି ଫୋନ ନ ମିଳେ ତେବେ ଅପରାଧର କ୍ରମ ଜାଣିବା ସେତେ ସହଜ ହେବ ନାହିଁ । କାରଣ, ଅଭିଯୁକ୍ତମାନେ ପୁଲିସ ଆଗରେ ବେଶି କିଛି ଖୋଲାଖୋଲି କହୁନାହାନ୍ତି । ତେଣୁ ପୁଲିସ ପୁରା କ୍ରମ ଜାଣିପାରୁନାହିଁ । ମନୀଷଙ୍କ ମୃତଦେହ ମିଳିବା ବେଳକୁ ତାଙ୍କ ଚଷମା ଓ ଘଣ୍ଟା ଅକ୍ଷତ ଅବସ୍ଥାରେ ରହିଥିଲା । ଏହା କେମିତି ସମ୍ଭବ ହେଲା ତାହା ବି ପୁଲିସ ବୁଝିପାରୁନାହିଁ । ରିମାଣ୍ଡର ଏହି ୪ ଦିନ ପୁଲିସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନଚେତ ଏହି ହତ୍ୟା ଘଟଣା ଏକ ରହସ୍ୟରେ ରହିଯିବ ।