କନକ ବ୍ୟୁରୋ : ରାଜଧାନୀରେ ମନିଷ ମୃତ୍ୟୁ ଘଟଣାରେ ଚାର୍ଜସିଟ୍ ଦାଖଲ ହୋଇଛି । ଏଥିରେ ମନିଷଙ୍କ ୩ ବନ୍ଧୁ, ଦିନେସ, ମୃତ୍ୟୁଂଜୟ, ଅମରିତଙ୍କୁ ହତ୍ୟାକାରୀ ବୋଲି ଦର୍ଶା ଯାଇଛି । ୪୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଇନଫୋସିଟି ଥାନା ପୁଲିସ । ଶବ ବ୍ୟବଚ୍ଛେଦ ରିପୋର୍ଟ, ଡାଏଟମ୍ ରିପୋର୍ଟ, ଭିଷେରା ରିପୋର୍ଟରୁ ମିଳିଥିବା ତଥ୍ୟ ଚାର୍ଜସିଟରେ ଉଲ୍ଲେଖ କରିଛନ୍ତି ତଦନ୍ତକାରୀ ଅଧିକାରୀ । ମନିଷ ମୃତ୍ୟୁ ଘଟଣାରେ ୧୭ ଜଣଙ୍କୁ ସାକ୍ଷୀ ରଖିଛି ପୁଲିସ । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷଙ୍କ ମୃତ ଦେହ ପାତ୍ରପୁର ନିକଟ ଏକ ପୋଖରୀରୁ ଉଦ୍ଧାର ହୋଇଥିଲା । ଏହାପରେ ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ କରି, ତାଙ୍କର ୩ ଜଣ ବନ୍ଧୁଙ୍କୁ ଗିରଫ କରିଥିଲା ।

Advertisment

ମିଳିଥିବା ସୂଚନା ଅନୁସାରେ, ୩ ଅଭିଯୁକ୍ତ ଓ ମନୀଷ ଘଟଣା ଦିନ ବି​ଳମ୍ବିତ ରାତିରେ ଅର୍ଥାତ୍ ଗତବର୍ଷ ଅକ୍ଟୋବର ୯ ତାରିଖରେ ପାତ୍ରପଡ଼ାସ୍ଥିତ ସାଉଥ୍ ସିଟି ହୋଟେଲ୍‌ ଓ ବାର୍‌ରେ ଖିଆପିଆ କରିଥିଲେ । ତେବେ ବିଲ୍‌ ଦେବାକୁ ନେଇ ସେମାନଙ୍କ ଭିତରେ ବଚସା ଓ ହାତାହାତି ହୋଇଥିଲା । ମନୀଷ ଘରୁ ଟଙ୍କା ମଗାଇ ବିଲ୍ ପୈଠ କରିଥିଲେ । ଏହା ପରେ ବାହାରକୁ ଚାଲି ଚାଲି ଆସିଥିଲେ । ପଛେପଛେ ଅଭିଯୁକ୍ତମାନେ ବାହାରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଜାତୀୟ ରାଜପଥ କଡ଼ରେ ସେମାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଅଭିଯୁକ୍ତଙ୍କ ଆକ୍ରମଣରେ ମନୀଷଙ୍କ ମୃତ୍ୟୁ ହୋଇଥିଲା ।

ପ୍ରମାଣ ନଷ୍ଟ କରିବା ପାଇଁ ଅମ୍ରିତଙ୍କ ମାରୁତି ସିଆଜ କାର୍ (ଓଡି୦୨-ଏକ୍ସ୯୬୯୬)ରେ ମୃତଦେହକୁ ନେଇ ପାତ୍ରପଡ଼ା ନମ୍ରକାନି ପୋଖରୀରେ ଫିଙ୍ଗି ଦେଇଥିଲେ । ମନୀଷଙ୍କ ପରିବାରଲୋକ ଭୋର୍‌ରୁ ଇନ୍‌ଫୋସିଟି ଥାନାରେ ପୁଅକୁ ଅପହରଣ ଅଭିଯୋଗ ଆଣିଥିଲେ । ୧୦ ତାରିଖରେ ପୂର୍ବାହ୍ନରେ ମନୀଷଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରଥମେ ଅମ୍ରିତକୁ ଗିରଫ କରିଥିଲା । ପରେ କନ୍ଧମାଳରୁ ଅନ୍ୟ ସହଯୋଗୀଙ୍କୁ ଉଠାଇଥିଲା ପୁଲିସ । ଘଟଣା ଘଟାଇବା ପରେ ସେମାନେ ୟୁନିଟ୍-୪ସ୍ଥିତ ଏକ ହୋଟେଲରେ ଆଶ୍ରୟ ନେଇଥିଲେ। ପରଦିନ କନ୍ଧମାଳ ଚାଲି ଯାଇଥିଲେ ।