ମନୀଷ ମୃତ୍ୟୁ ମାମଲାର ଫିଟୁନି ରହସ୍ୟ : ୩ ଅଭିଯୁକ୍ତଙ୍କ ମିଛ ଧରା ପରୀକ୍ଷା କରାଇବାକୁ କୋର୍ଟରେ ଆବେଦନ

ସେପଟେ ପ୍ରସନ୍ନଙ୍କ ସମ୍ପତି ଯାଂଚ ପାଇଁ ଭିଜିଲାନ୍ସକୁ ସୁପାରିଶ ସୂଚନା

78

କନକ ବ୍ୟୁରୋ : ମନୀଷ ମୃତ୍ୟୁ ମାମଲାର ରହସ୍ୟ ଫିଟୁନି । ୩ ଅଭିଯୁକ୍ତଙ୍କ ମିଛ ଧରା ପରୀକ୍ଷା କରାଇବାକୁ କୋର୍ଟରେ ଆବେଦନ କରିଛି ପୁଲିସ । ରିମାଣ୍ଡରେ ନେଇ ପୁଲିସ ୩ ଅଭିଯୁକ୍ତଙ୍କ ପଚରାଉଚରା କରିଥିଲେ ମଧ୍ୟ ମନୀଷଙ୍କ ହତ୍ୟା କେମିତି ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତମାନେ ମନୀଷଙ୍କୁ ଧାସ୍ତାଧସ୍ତି କରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଥିଲା ।

୩ ଦିନିଆ ରିମାଣ୍ଡରେ ଆଣି ୩ ଅଭିଯୁକ୍ତଙ୍କ ଠାରୁ ପ୍ରାମାଣିକ ତଥ୍ୟ ଯୋଗାଡ କରିବା ପାଇଁ ପୁଲିସ ଖୁବ୍ କସରତ କରିଥିଲା । ହେଲେ ଅଭିଯୁକ୍ତ କେତେବେଳେ ମନଗଢ଼ା କାହାଣୀ ଗପିଥିଲେ ଅନ୍ୟ କେତେବେଳେ ନିଶାସକ୍ତ ଥିବାରୁ ସବୁ ଭୁଲି ଯାଇଥିବା କହିଛନ୍ତି । ଯାହା ପାଇଁ କାଳ ରାତିର ସତ ଜାଣିବାରେ ପୁଲିସ ପକ୍ଷରେ ସମ୍ଭବ ହୋଇନଥିଲା । ମିଛ ଧରା ପରୀକ୍ଷା ହିଁ ଏକମାତ୍ର ବିକଳ୍ପ ହୋଇଥିବାରୁ ପୁଲିସ ଏହି ଉପାୟ ଆପଣାଇଛି ।

ଅପରପକ୍ଷରେ ସବୁ ନୀତି ନିୟମ ଉଲ୍ଲଂଘନ କରି ହୋଟେଲ ସାଉଥ୍‌ ସିଟି ବାର୍‌କୁ ନିଜ ଭାଇଙ୍କ ନାଁରେ ଲିଜ୍ ନେଇ ଚଳାଇବା ଅଭିଯୋଗରେ ଚାକିରିରୁ ବରଖାସ୍ତ ହେବା ସହ ଗିରଫ ହୋଇଥିବା କନେଷ୍ଟବଳ ମହାସଂଘର ସଂପାଦକ ପ୍ରସନ୍ନ କୁମାର ବେହେରାଙ୍କ ଭୁବନେଶ୍ବର ସମେତ ଅନେକ ଅଞ୍ଚଳରେ କୋଟିକୋଟି ଟଙ୍କାର ସଂପତ୍ତି ରହିଥିବା ଜଣାପଡ଼ିଛି । ତେଣୁ ତାଙ୍କର ସଂପତ୍ତି ତାଲିକା ଯାଞ୍ଚ୍ ପାଇଁ ଭିଜିଲାନ୍ସ ପକ୍ଷରୁ ବର୍ତ୍ତମାନ ପ୍ରସନ୍ନଙ୍କ ଦୋକାନ ସମେତ ଏକାଧିକ ଦୋକାନ ସମେତ ଘର ଓ ଅନ୍ୟାନ୍ୟ ସଂପତ୍ତି ତାଲିକା ଏକାଠି କରିଥିବା ଜଣାପଡ଼ିଛି । ଏହାକୁ ଭିତ୍ତି କରି ତାଙ୍କ ଘର ଉପରେ ଚଢ଼ାଉ କରିବାକୁ ଥିବା ପ୍ରସ୍ତୁତ ହେଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।