କନକ ବ୍ୟୁରୋ : ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରିବା ଘଟଣାକୁ ନେଇ ଏବେ ତେଜିବାରେ ଲାଗିଛି ରାଜନୀତି । ଏହି ପ୍ରସଙ୍ଗରେ ବିରୋଧୀ, କେନ୍ଦ୍ରସରକାରଙ୍କୁ ଘେରିବାର କୌଣସି ମଉକା ଛାଡୁନାହାଁନ୍ତି । ଏହାରି ଭିତରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଭାଇରାଲ ଭିଡିଓକୁ ନେଇ ଦେଇଥିବା ଟିପ୍ପଣୀକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ । କଂଗ୍ରେସ ନେତା ଜୟରାମ ରମେଶ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି, - ଏହା ବହୁତ ଛୋଟ ଏବଂ ବିଳମ୍ବରେ ଦିଆଯାଇଥିବା ବୟାନ । ୧୮୦୦ ଘଂଟା ପରେ ପ୍ରଧାନମନ୍ତ୍ରୀ ମାତ୍ର ୩୦ ସେକେଣ୍ଡର ଟିପ୍ପଣୀ ଦେଇଛନ୍ତି ଏବଂ ସେଥିରେ ରାଜସ୍ଥାନ ନାଁ ମଧ୍ୟ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମଣିପୁର ଘଟଣାକୁ ନେଇ କହିଥିଲେ,କି ‘ଏହି ଘଟଣାକୁ ଯେତିକି କଷ୍ଟ ଦେଉଛି ସେତିକି ରାଗ ବି ଲାଗୁଛି । ମଣିପୁରରେ ମହିଳାଙ୍କ ସହ ଯାହା ହୋଇଛି, ତାହାକୁ କେବେ କ୍ଷମା କରାଯାଇ ପାରିବନି । ମୁଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ କହିବି, ନିଜ ନିଜ ରାଜ୍ୟରେ ଆଇନ - କାନୁନ ବ୍ୟବସ୍ଥା ମଜବୁତ ରଖନ୍ତୁ '
ମଣିପୁର ଭାଇରାଲ ଭିଡିଓକୁ ନେଇ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହଙ୍କ ଏକ ବିବାଦୀୟ ବୟାନକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଇଣ୍ଡିଆ ଟୁଡେକୁ ଟେଲିଫୋନ୍ ଜରିଆରେ ଦେଇଥିବା ଏକ ଇଂଟରଭ୍ୟୁରେ ସେ କହିଛନ୍ତି ଏଭଳି ଶହ ଶହ ଘଟଣା ଘଟୁଛି । ମହିଳା ନିର୍ଯାତନା ଘଟଣା କେମିତି ଏତେ ଦିନ ଯାଏଁ ଜାଣିପାରିଲେନି ବୋଲି ପ୍ରଶ୍ନ କରାଯିବାରୁ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ କହିଥିଲେ ‘ଏପରି ଶହ ଶହ ଘଟଣା ଘଟୁଛି । ସେଥିପାଇଁ ଆମେ ରାଜ୍ୟରେ ଇଂଟରନେଟ୍ ସେବା ବନ୍ଦ କରିଥିଲୁ ‘ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନ ଘଟଣା ପ୍ରତି ତାଙ୍କ ସମ୍ବେଦନଶୀଳତାକୁ ଦର୍ଶାଉଛି । ସେପଟେ ନିଜ କଥାକୁ ନେଇ ସଫେଇ ରଖିଛନ୍ତି ବୀରେନ୍ ସିଂହ । କହିଛନ୍ତି, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସେପଟେ ମୌସୁମୀ ଅଧିବେଶନରେ ବି ମଣିପୁର ହିଂସା ପ୍ରମୁଖ ପ୍ରସଙ୍ଗ ପାଲଟିଛି । ହଙ୍ଗାମା, ହଟ୍ଟଗୋଳ ଭିତରେ ସ୍ୱାଭାବିକ ଭାବେ ଚାଲି ପାରୁନି ଉଭୟ ଗୃହ । ବିରୋଧୀ ସଂସଦରେ ଚର୍ଚ୍ଚା ଓ ପ୍ରଧାନମନ୍ତ୍ରୀଙ୍କ ବୟାନ ପାଇଁ ଦାବି କରି ହଙ୍ଗାମା କରୁଥିବାବେଳେ କେନ୍ଦ୍ର ସରକାର କହୁଛନ୍ତି, ବରୋଧୀ ଆଲୋଚନା ଚାହୁଁ ।
ମଣିପୁରରେ ମୈତେଇ ଓ କୁକି ସମୁଦାୟ ଭିତରେ ଯେଉଁ ହିଂସା ଜାରି ରହିଛି, ତାହା ଦିନକୁ ଦିନ ଉକ୍ରଟ ହେବାରେ ଲାଗିଲାଣି । ଗୋଟିଏ ରାଜ୍ୟରେ ଦୁଇଟି ଦୁଇଟି ଉଗ୍ରବାଦୀ ଗୋଷ୍ଠୀଙ୍କୁ କାବୁ କରିବାରେ ନାକେଦମ୍ ହେଲେଣି ସରକାର । ଏହାରି ଭିତରେ ରାଜ୍ୟ ଏବେ ସୁଦ୍ଧା କାହିଁକି ରାଷ୍ଟ୍ରପତି ଶାସନ ଲାଗୁ ହୋଇନାହିଁ ତାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।