କନକ ବ୍ୟୁରୋ : ମଣିପୁର ହିଂସାକାଣ୍ଡ ଏବେବି ଜାରୀ ରହିଛି । ଏହି ହିଂସାକାଣ୍ଡରେ ଅନେକ ଧନଜୀବନ ନଷ୍ଟ ହେଲାଣି । ଆଉ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଇଣ୍ଟେଲିଜେନ୍ସ ବ୍ୟୁରୋ କହିବା ଅନୁସାରେ, ମଣିପୁରରେ ଅଶାନ୍ତି ଖେଳାଇବା ପାଇଁ ଯେଉଁସବୁ ହତିଆର ବ୍ୟବହାର କରାଯାଇଥିଲା ତାହା ତସ୍କରଙ୍କ ଦ୍ୱାରା ମିଆଁମାର୍ ରାସ୍ତା ଦେଇ ଆସିଥିଲା । ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ମିଆଁମାର ରାସ୍ତା ଦେଇ ମଣିପୁରକୁ ଆସିଥିଲା ପୁଳା ପୁଳା ଅସ୍ତ୍ରଶସ୍ତ୍ର । ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି କି, ଅସ୍ତ୍ରଶସ୍ତ୍ର ମଣିପୁରରେ ପହଞ୍ଚିବା ପୂର୍ବରୁ ମିଆଁମାର ଏବଂ ଚୀନ୍ ସୀମା ନିକଟସ୍ଥ କଳାବଜାରକୁ ଅଣାଯାଇଥିଲା ।
ତେବେ ହତିଆର୍ ତସ୍କରୀ ମାମଲାରେ ଆଜି ଜଣେ ଆଇଆରବି ଯବାନଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇଛି । ଅସ୍ତ୍ରଶସ୍ତ୍ର ତସ୍କରିର ଏକ ବଡ ଗ୍ୟାଙ୍ଗଙ୍କ ଗୁପ୍ତ ସୂଚନା ମିଳିବା ପରେ ଇଂଫାଲାର ପୂର୍ବ ଜିଲ୍ଲା କମାଣ୍ଡୋ ଏବଂ ୧୬ବି ରେଜିମେଣ୍ଟ୍ ଏବଂ ସ୍ଥାନୀୟ ପୋଲିସର ଏକ ମିଳିତ ଟିମ୍ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ଏହି ସର୍ଚ୍ଚ ଅପରେସନରେ ଅନେକ ହତିଆର୍, ଗୋଳାବାରୁଦ, ୨.୫ ଲକ୍ଷ ଟଙ୍କା, କିଛି ମୋବାଇଲ ଫୋନ୍ ଏବଂ ୨ଚକିଆ, ୪ଚକିଆ ଯାନ ଜବତ କରାଯାଇଥିଲା ।