କନକ ବ୍ୟୁରୋ: ପାଖାପାଖି ଦେଢ ମାସ ଧରି ମଣିପୁରରେ ଲାଗିରହିଛି ହିଂସା । ତମାମ ଚେଷ୍ଟା ପରେ ବି ସେଠାକାର ସ୍ଥିତିରେ କୌଣସି ସୁଧାର ଆସିପାରିନାହିଁ । ଏହାରି ଭିତରେ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ୱାଇ ଜୟକୁମାର ସିଂହ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଗାମୀ ଦିନରେ ଯଦି ମଣିପୁରର ସ୍ଥିତିରେ ସୁଧାର ନଆସେ, ତେବେ ସେ ବିଜେପି ସହ ଥିବା ମେଣ୍ଟକୁ ନେଇ ଚିନ୍ତା କରିବାକୁ ବାଧ୍ୟ ହେବେ । ବିଜେପି ସହ ତାଙ୍କର ରହିଥିବା ମେଣ୍ଟକୁ ନେଇ ସେ ବିଚାର ବିମର୍ଶ କରିବେ । ଚୁପ୍ ହେଇ ରହିପାରିବେନି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ, ମଣିପୁରରେ ଅନୁଚ୍ଛେଦ ୩୫୫ ଲାଗୁ ଅଛି । ଏଥିପାଇଁ ଲୋକଙ୍କ ସୁରକ୍ଷା କଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ ରହିଛି । ହେଲେ ହିଂସା ସହ ଲଢିବାକୁ କୌଣସି ଉଚିତ୍ ପଦକ୍ଷେପ ଗ୍ରହଣ କରାଯାଉନି । ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ଦିନକୁ ଦିନ ବିଗିଡିବାକୁ ବସିଲାଣି । ଏମିତି କି ମନ୍ତ୍ରୀଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହେଉଛି । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ପରେ ବି ସେଠାରେ ସ୍ଥିତି ସୁଧୁରିବାର ନା ନେଉନି ।
ୱାଇ ଜୟକୁମାର ସିଂହଙ୍କ କହିବା କଥା, ସେ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ କଥା ହେଇଛନ୍ତି । ମାମଲାକୁ ସଠିକ୍ ଢଙ୍ଗରେ ତୁଲାଇବା ପାଇଁ ପ୍ରୟାସ କରାଯିବା ଉଚିତ୍ । ତେବେ ଏନେଇ ସେ ଯୋଜନା ପ୍ରସ୍ତୁତ କରୁଛନ୍ତି । ବିଜେପି ସହ ମେଣ୍ଟରେ ରହିବା ଉଚିତ୍ ନା ବିପକ୍ଷ ସହ ସାଥ୍ ଦେବା ଉଚିତ୍ ସେ ନେଇ ସେ ଆଲୋଚନା କରିବେ । ସରକାର ଏହି ସମ୍ବେଦନଶୀଳ ଘଟଣାରେ ନିଶ୍ଚୟ ଧ୍ୟାନ ଦେବା ଉଚିତ୍ ବୋଲି ସେ କହିଛନ୍ତି ।