“ମୋ ରାଜ୍ୟରେ, ମୋ ଉପରେ ଆକ୍ରମଣ ହେବା, ମୋ ପାଇଁ ଲଜ୍ଜ୍ୟାଜନକ କଥା” । ମଣିପୁର ହିଂସାକୁ ନେଇ ଏପରି କହିଲେ ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ।

505

କନକ ବ୍ୟୁରୋ: ମଣିପୁରରେ ହିଂସାକୁ ରୋକିବାକୁ ବର୍ତ୍ତମାନ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେଇଛନ୍ତି । ଏହାପରେ ବି ଗତ ଏକ ବର୍ଷ ହେଲା ସେଠାରେ ସ୍ଥିତି ସାମାନ୍ୟଜନକ ହେଇପାରିନି । ଏମିତି କି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ ମଧ୍ୟ ଆକ୍ରମଣ ହେଇଛି । ଆଉ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂ କହିଛନ୍ତି ଯେ, ଏହା ମୋ ପାଇଁ ଲଜ୍ଜ୍ୟାଜନକ ଘଟଣା । ତାଙ୍କରି ରାଜ୍ୟରେ ତାଙ୍କ ଉପରେ ଆକ୍ରମଣ ହେବା ପରେ, ତାଙ୍କୁ ଖରାପ ଲାଗୁଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମେ ୩ ତାରିଖ ୨୦୨୩ରେ ମଣିପୁରରେ ଦୁଇଟି ସମୁଦାୟ ଭିତରେ ହିଂସା ଦେଖିବାକୁ ମିଳିଥିଲା । କୁକୀ ଏବଂ ମୈତେଇ ସମାଜର ଲୋକଙ୍କ ଭିତରେ ଏହି ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ କିନ୍ତୁ ବଡ ଧରଣର ନହେଲେ ବି, ଛୋଟ ଛୋଟ ହିଂସା ଘଟଣା ଦେଖିବାକୁ ମିଳୁଛି । ନିକଟରେ ଆସାମ ସୀମାକୁ ଲାଗି ଥିବା ଜିରିବାମ୍ ଅଞ୍ଚଳରେ ମଧ୍ୟ ଗୁଳିକାଣ୍ଡର ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ସେହି ସ୍ଥାନକୁ ଯିବାକୁ ବାହାରିଥିଲେ । ଆଉ ସେଠାରେ ପହଞ୍ଚିବା ପରେ ତାଙ୍କ ଉପରକୁ ଆକ୍ରମଣ ହେଇଥିଲା ।

ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କହିବା କଥା ହେଲା, ଗତ ବର୍ଷେ ହେଲା ମଣିପୁରରେ ଯାହା ବି ହେଉଛି, ପ୍ରଥମରୁ ତା ସ୍ଥିତି ଗମ୍ଭୀର ଥିଲା । ହେଲେ କେନ୍ଦ୍ରୀୟ ସୁରକ୍ଷା ବଳ ଆସିବା ପରେ ସ୍ଥିତିରେ ସୁଧାର ଆସିଛି । ତେବେ ଏହା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବାକୁ ସମୟ ଲାଗିବ ବୋଲି ସେ କହିଛନ୍ତି । ଏଥିସହ ଗୁଳିକାଣ୍ଡ ଘଟଣା ଥମିଛି, ହେଲେ ଏବେ ବି କିଛି କିଛି ସ୍ଥାନରେ ଛୋଟ ଛୋଟ ହିଂସାକାଣ୍ଡର ଖବର ସାମ୍ନାକୁ ଆସୁଛି ବୋଲି ମଣିପୁର ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ତାଙ୍କ ଉପରେ ଆକ୍ରମଣର ଉତ୍ତର ଦେଇ ସେ କହିଛନ୍ତି ଯେ, ଗୁଇନ୍ଦା ଏବଂ ସୁରକ୍ଷା ଭିତରେ ଉତ୍ତର ଯୋଗାଯୋଗ ରହି ନପାରିବା ହେତୁ ଏପରି ହେଇଥାଇପାରେ । ଏହାର ଯାଞ୍ଚ ପାଇଁ ମୁଖ୍ୟ ଶାସନ ସଚିବ ଆଦେଶ ଦେଇଛନ୍ତି, ଏହି ଘଟଣାର ଯାଞ୍ଚ ହେବ ବୋଲି କହିଛନ୍ତି ଏନ୍ ବୀରେନ୍ ସିଂହ ।