କନକ ବ୍ୟୁରୋ: କିଛି ଦିନର ସ୍ଥିରତା ପରେ ପୁଣି ଅଶାନ୍ତ ହୋଇଛି ମଣିପୁର । ଅକ୍ଟୋବର ୧ରୁ ଆଗାମୀ ୬ମାସ ଯାଏଁ ପୂରା ମଣିପୁରକୁ ଅଶାନ୍ତ ଅଞ୍ଚଳଭାବେ ଘୋଷଣା କରାଯିବା ସହ ଆଫସା ବଳବତର ରହିବ । ଏଥିରୁ କେବଳ ୧୯ଟି ଥାନା ଅଞ୍ଚଳକୁ ବାଦ ଦିଆଯାଇଛି । ନିକଟରେ ଦୁଇଜଣ ସ୍କୁଲ ପିଲା ନିଖୋଜ ଓ ପରେ ସେମାନଙ୍କ ମୃତଦେହ ମିଳିବା ଘଟଣାରେ ରାଜ୍ୟରେ ପୁଣି ହିଂସାପୂର୍ଣ୍ଣ ମାହୋଲ ସୃଷ୍ଟି କରିଛି । ପ୍ରଦର୍ଶନକାରୀ ଓ ପୁଲିସ ମୁହାଁମୁହିଁ ଘଟଣା ହିଂସାକୁ ବୃଦ୍ଧି କରିବା ସହ ମାହୋଲକୁ ପୁଣି ବିଗାଡିଛି । ବୁଧବାର ମଧ୍ୟ ପ୍ରତିବାଦ ଜାରି ରହିଛି । ଶହ ଶହ ସଂଖ୍ୟକ ଲୋକ ଇମ୍ପାଲ ଓ ଅନ୍ୟାନ୍ୟ ସ୍ଥାନରେ ବିକ୍ଷୋଭ କରିଛନ୍ତି ।

Advertisment

ମଣିପୁରରେ ମେ ମାସରୁ ଉତେଜନା ଜାରି ରହିଛି । କୁକି ଓ ମୈଇତି ସମ୍ପ୍ରଦାୟ ମଧ୍ୟରେ ଚାଲିଛି ବିବାଦ । ତେବେ ୫ମାସ ପରେ ସେପ୍ଟେମ୍ବର ୨୩ରେ ରାଜ୍ୟରେ ଇଣ୍ଟରନେଟ ସେବା ସ୍ୱାଭାବିକ ହେବା କିଛି ଘଣ୍ଟା ପରେ ଦୁଇଜଣ ସ୍କୁଲ ପିଲାଙ୍କ ମୃତଦେହ ମିଳିଥିଲା । ଏହି ଘଟଣା ପୁଣି ଥଣ୍ଡା ପଡିଥିବା ହିଂସାରେ ନିଅାଁ ଲଗାଇଛି । ସେପଟେ କେନ୍ଦ୍ର ଓ ମଣିପୁର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । କେନ୍ଦ୍ର ସରକାର ମଣିପୁର ପ୍ରସଙ୍ଗକୁ ଅଣଦେଖା କରୁଥିବା କହିଛି କଂଗ୍ରେସ । ସେପଟେ ଟୁଇଟ କରି ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ପ୍ରଧାନମନ୍ତ୍ରୀ ତୁରନ୍ତ ପଦରୁ ବହିଷ୍କାର କରିବାକୁ ଦାବି କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।