କନ୍ଦଳ କବଳରେ କଂଗ୍ରେସ । ମଣିପୁର କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷଙ୍କ ଇସ୍ତଫା, ୮ ବିଧାୟକଙ୍କ ସହ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା

101

କନକ ବ୍ୟୁରୋ : ମଣିପୁରରେ ବି କଂଗ୍ରେସର କନ୍ଦଳ ପଦାରେ ପଡିଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ମଣିପୁର କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦଦାସ କୈଥୁଜମ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହ ଆଲୋଚନା ହେଉଛି କି ଆଜି ୮ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇପାରନ୍ତି ।

କହିରଖୁ କି, ଗୋବିନ୍ଦଦାସ କୈଥୁଜମ୍ ବିଷ୍ଣପୁର ଆସନରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୨୦୨୦ ମସିହା ଡିସେମ୍ବର ମାସରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗୋବିନ୍ଦଦାସଙ୍କୁ ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ଆସନ୍ତା ବର୍ଷ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ପ୍ରଦେଶ ଅଧ୍ୟକ୍ଷଙ୍କ ଇସ୍ତଫା ଦଳ ପାଇଁ ଅଡୁଆ ସୃଷ୍ଟି କରିଛି ।

ସୂଚନା ଥାଉକି ୨୦୧୭ ରେ ପ୍ରଥମଥର ପାଇଁ ମଣିପୁରରେ ବିଜେପି ସରକାର ଗଠନ କରିଥିଲା । ବିଜେପି, ଏନସିପି ଓ ୩ ଜଣ ସ୍ୱାଧୀନ ବିଧାୟକଙ୍କୁ ନେଇ ବିଜେପି ଏବେ କ୍ଷମତାରେ ରହିଛି । ଏବେ ବିଜେପି ଦାବି କରୁଛି କି ଆସନ୍ତା ବିଧାନସଭା ନିର୍ବାଚନରେ ୬୦ ଆସନରେ ଜିତି ପୁଣି ବିଜେପି ଏକାକୀ ସରକାର ଗଠନ କରିବ ।

ବର୍ତମାନ ମଣିପୁର ବିଧାନସଭାରେ ବିଜେପି ପାଖରେ ୨୫ ଜଣ ବିଧାୟକ ଥିବା ବେଳେ କଂଗ୍ରେସ ପାଖରେ ୧୭, ଏନସିପି ୪, ଏନପିଏଫ ୪, ତୃଣମୂଳ କଂଗ୍ରେସ ୧ ଓ ୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି । ଏହା ବ୍ୟତୀତ ୪ ଟି ଆସନ ଖାଲି ପଡିଛି ।