କନକ ବ୍ୟୁରୋ : ମଣିପୁରରେ କୁକୀ ସଂପ୍ରଦାୟର ଦୁଇଜଣ ମହିଳାଙ୍କୁ ବିବସ୍ତ୍ର କରି ପରେଡ କରାଇବା ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ଏହି ଭିଡିଓଟି ମେ ୪ ତାରିଖର   । ଏଥିରେ ଦେଖିବାକୁ ମିଳିଛି କି କୁକୀ –ଜୋମୀ ସଂପ୍ରଦାୟର ଦୁଇଜଣ ମହିଳାଙ୍କୁ କିଛି ଲୋକ ବିବସ୍ତ୍ର କରି ପରେଡ କରାଉଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସହ କଥା ହେବା ବେଳେ ଏହି ଜଘନ୍ୟ ଘଟଣା ବାବଦରେ କହିଛନ୍ତି ପୀଡିତା । ପୀଡିତାଙ୍କ କହିବା ମୁତାବକ ଘଟଣା ଘଟିବା ବେଳେ ପୋଲିସ ଉପସ୍ଥିତ ଥିଲା । ପୋଲିସ ସେମାନଙ୍କୁ ସେହି ରାକ୍ଷାସ ମାନଙ୍କ ନିକଟରେ ଛାଡି ଦେଇଥିବା କଥା ପୀଡିତା କୋହଭରା କଣ୍ଠରେ କହିଛନ୍ତି । ପୀଡିତା ୨ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କର ବୟସ ୨୦ ଓ ଅନ୍ୟ ଜଣଙ୍କର ବୟସ ୪୦ ବୋଲି କୁହାଯାଉଛି ।

Advertisment

ଘଟଣା ଘଟିବା ପରେ ମେ ୧୮ ତାରିଖରେ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗରେ ଉଲ୍ଲେଖ ଥିଲା କି କାଙ୍ଗପୋକପି ଜିଲ୍ଲାରେ ଥିବା ତାଙ୍କ ଗାଁ ଉପରକୁ କିଛି ଉପଦ୍ରବୀ ଆକ୍ରମଣ କରିଥିଲେ । ହେଲେ ଥୌବଲ ପୋଲିସ ଘଟଣା ସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରିଥିଲା । ହେଲେ ପୋଲିସ ଯେତେବେଳେ ଆକ୍ରମଣରେ ଶିକାର ହୋଇଥିବା ମହିଳାମାନଙ୍କୁ ଥାନାକୁ ନେଇ ଯାଉଥିଲା ସେତେବେଳେ ପୋଲିସ ଉପରେ ମଧ୍ୟ ଉପଦ୍ରବକାରୀମାନେ ଆକ୍ରମଣ କରିଥିଲେ । ଏହାସହ ପୋଲିସ ହେପାଜତରୁ ମହିଳା ଦୁଇଜଣଙ୍କୁ ଉପଦ୍ରବକାରୀମାନେ ଛଡାଇ ନେଇଥିଲେ । ଏହି ସମୟରେ ଉପଦ୍ରବକାରୀଙ୍କୁ ସମର୍ଥନ କରି ସେମାନଙ୍କୁ ପୋଲିସ ସହାୟତା କରିଥିବା କଥା ପୀଡିତା କହିଛନ୍ତି ।

ପୀଡିତା ମହିଳା କହିଛନ୍ତି କି ସେମାନଙ୍କ ପରିବାର ଲୋକ ଜାଣିନଥିଲେ କି ଏହି ଘଟଣାର ଭିଡିଓ ଉପଦ୍ରବକାରୀମାନେ ରେକଡିଂ କରିଛନ୍ତି । ହେଲେ ଭିଡିଓ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାସହ ମହିଳା ଜଣଙ୍କ କହିଛନ୍ତି କି ଏହି ଘଟଣା ଘଟିବା ବେଳେ ଘଟଣା ସ୍ଥଳରେ ଅନେକ ପୁରୁଷ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଚିହ୍ନିପାରିବେ ବୋଲି ସେ ଗଣମାଧ୍ୟମ ଆଗରେ କହିଛନ୍ତି ।

ସୂଚନା ଥାଉକି ମଣିପୁରରେ ଅନୁସୂଚିତ ଜନଜାତି ମାନ୍ୟତା ଦେବାକୁ ମୈତି ସଂପ୍ରଦାୟର ଦାବିକୁ ଆଦିବାସୀ ସଂପ୍ରଦାୟ କୁକୀ ବିରୋଧ କରିଥିଲା । ଏନେଇ କୁକୀ ସଂପ୍ରଦାୟ ପକ୍ଷରୁ ମେ ୩ ତାରିଖରେ ଏକ ରାଲି କରାଯାଇଥିଲା । ଏହାକୁ ନେଇ କୁକୀ ଓ ମୈତି ସଂପ୍ରଦାୟ ମଧ୍ୟରେ ମେ ୪ ତାରିଖରୁ ଆଜି ପର୍ଯ୍ୟନ୍ତ ହିଂସା ଲାଗି ରହିଛି ।