କନକ ବ୍ୟୁରୋ : ମଣିପୁରରେ ଘଟିଥିବା ଅମାନବୀୟ ଘଟଣାକୁ ନେଇ ସାରା ଦେଶର ରାଜନୀତି ସରଗରମ ହେଉଛି । ଏହି କ୍ରମରେ ସଂସଦର ମୌସୁମୀ ଅଧିବେଶନରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ଘଟଣାରେ ବୟାନ ରଖନ୍ତୁ ବୋଲି ବିରୋଧୀ ଦାବି କରି ହଟ୍ଟଗୋଳ କରିଥିଲେ । ଏହାକୁ ନଜରରେ ରଖି ଲୋକସଭା ବୈଠକ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

Advertisment

ସେହିଭଳି ଗତକାଲି ମଣିପୁର ହିଂସାକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ କାରଣରୁ ଦିଲ୍ଲୀ ଅଧ୍ୟାଦେଶ ଉପରେ ଚର୍ଚ୍ଚା ହୋଇପାରି ନଥିଲା । ଆଜି ଅଧ୍ୟାଦେଶ ଉପରେ ଚର୍ଚ୍ଚା ହେବ ବୋଲି ଆକଳନ କରାଯାଉଥିବା ବେଳେ ମଣିପୁର ହିଂସାକୁ ନେଇ ବିରୋଧୀ ହଟ୍ଟଗୋଳ କରିବାରୁ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରି ନାହିଁ ।

ଏନେଇ ରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି କି, ସରକାର ମଣିପୁର ହିଂସା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ବେଳେ ବିରୋଧୀ ଆଲୋଚନା କରିବାର ସୁଯୋଗ ଦେଇନଥିଲେ । ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି କି ହଟ୍ଟଗୋଳ, ନାରାବାଜୀ ଓ ହଙ୍ଗାମା ମାଧ୍ୟମରେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ ।

କଂଗ୍ରେସ ସାଂସଦ ମନୀଷ ତିୱାରୀ ସଂସଦରେ ମଣିପୁର ପ୍ରସଙ୍ଗରେ ଆଲୋଚନା ଦାବି କରି କହିଥିଲେ ସରକାର ସଂସଦରେ ମଣିପୁର ସ୍ଥିତି ନେଇ ସୂଚନା ଦିଅନ୍ତୁ । ଏହାସହ ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ସରକାର କଣ କଣ ଉପାୟ ଅବଲମ୍ବନ କରିଛନ୍ତି ତାହା ଉପରେ ସ୍ପଷ୍ଟ କରନ୍ତୁ ।