ଗଜପତିରେ ତେଜୁଛି ସୀମା ବିବାଦ : ଜିଲ୍ଲା ପ୍ରଶାସନର ସ୍ଥାଣୁତା ବିରୋଧରେ ଏକାଠି ହେଲେ ସୀମାନ୍ତ ଗାଁର ଆଦିବାସୀ

୨୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ; ଆନ୍ଧ୍ରର ଦମନ ଲୀଳା ଓ ଗଜପତି ପ୍ରଶାସନ ନିରବତାକୁ ବିରୋଧ

70

କନକ ବ୍ୟୁରୋ : ଗଜପତି ଜିଲ୍ଲା ଆନ୍ଧ୍ର-ଓଡିଶା ସୀମାକୁ ନେଇ ଲାଗି ରହିଥିବା ବିବାଦ ଏବେ ବିଦ୍ରୋହର ରୂପ ନେଇଛି । ଗଜପତି ସୀମାନ୍ତର ଆଦିବାସୀ ଏବେ ଜିଲ୍ଲା ପ୍ରଶାସନର ସ୍ଥାଣୁତା ବିରୋଧରେ ଆନ୍ଦୋଳନ କରିବାକୁ ଏକଜୁଟ ହେଉଛନ୍ତି । ଆସନ୍ତା ୨୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସୀମାନ୍ତ ଗାଁର ଆଦିବାସୀ ଚେତାବନୀ ଦେଇଛନ୍ତି । ଗଙ୍ଗାବାଡ ପଂଚାୟତ କାର୍ଯ୍ୟାଳୟ ନିକଟରେ ସୀମା ବିବାଦ ଥିବା ୭ଟି ଗାଁର ଜନପ୍ରତିନିଧି ଏକାଠି ହୋଇ ଆନ୍ଧ୍ର ସରକାରଙ୍କ ଦମନ ଲୀଳା ଓ ଗଜପତି ପ୍ରଶାସନ ନିରବତାକୁ ବିରୋଧ କରିଛନ୍ତି ।

ଏହାର ପ୍ରତିବାଦରେ ଆସନ୍ତା ୨୦ ତାରିଖରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ । ସେମାନଙ୍କ ମୁଖ୍ୟ ଦାବି ହେଲା ଅଂଚଳର ବିକାଶ, ଆନ୍ଧ୍ର ପୁଲିସ ଦ୍ୱାରା ଜନପ୍ରତିନିଧିଙ୍କ ବିରୋଧରେ ରୁଜୁ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଓ ସୀମା ବିବାଦର ସ୍ଥାୟୀ ସମାଧାନ । ଗତ ମାସରେ ଗଜପତି ଜିଲ୍ଲା ମାଣିକପାଟଣା ଗାଁର ଅଙ୍ଗନୱାଡି କେନ୍ଦ୍ର ଉଚ୍ଛେଦକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ତେଜିଛି । ଗତ ୯ ତାରିଖରେ ଆନ୍ଧ୍ର ମନ୍ତ୍ରୀଙ୍କ ଅଶାଳୀନ ବ୍ୟବହାର ଓ ଜନପ୍ରତିନିଧିଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ ପରେ ଗଜପତି ପ୍ରଶାସନ ଚୁପ ହୋଇ ବସିଛି । ପ୍ରଶାସନର ଏହି ସ୍ଥାଣୁତାକୁ ନେଇ ଏବେ ପ୍ରଶାସନ ବିରୋଧରେ ଏକଜୁଟ ହେଉଛନ୍ତି ସୀମାନ୍ତ ଅଂଚଳର ଆଦିବାସୀ ।