ମାନିକ ଶାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟ ବିଜେପି ବିଧାୟକ ଦଳର ନେତା ଭାବେ ମାନିକ ନିର୍ବାଚିତ ।

143

କନକ ବ୍ୟୁରୋ : ମାନିକ ଶାହା ହେବେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ । ବିପ୍ଲବଙ୍କ ପରେ ତ୍ରିପୁରା ସରକାରର ମଙ୍ଗ ଧରିବେ ମାନିକ ଶାହା । ଆଜି ରାଜ୍ୟ ବିଜେପି ବିଧାୟକ ଦଳର ନେତା ଭାବେ ସେ ନିର୍ବାଚିତ ହୋଇଛନ୍ତି । ତେବେ ଏହା ପୂର୍ବରୁ ବିପ୍ଲବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଆଉ ଏହାର ମାତ୍ର କିଛି ଘଣ୍ଟା ପରେ ମାନିକ ଶାହାଙ୍କୁ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ବିଜେପି ।

ଅନ୍ୟପଟେ ବିପଲ୍ୱ ଦେବ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପରେ ଏବେ ତ୍ରିପୁରା ରାଜ୍ୟ ବିଜେପିର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କୁ ଦଳର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଗକୁ ତ୍ରିପୁରାରେ ନିର୍ବାଚନ ହେବାକୁ ଥିବାରୁ ବିଜେପି ଏହି ଗୋଟିଚାଳନା କରୁଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ବିପ୍ଲବ ଦେବ ଗତ ଶୁକ୍ରବାର ଦିଲ୍ଲୀ ଆସି ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହାଙ୍କୁ ଭେଟିଥିଲେ । ଆଜି ସେ ଦିଲ୍ଲୀରୁ ଫେରିବା ପରେ ଇସ୍ତଫା ଦେଇଥିବାରୁ ତାଙ୍କ ଇସ୍ତଫା ଦେବା ପାଇଁ କୁହାଯାଇଥିବା ଅନୁମାନ କରାଯାଉଛି । ତେବେ ଇସ୍ତଫା ଦେବା ପରେ ବିପ୍ଳବ ଦେବ କହିଛନ୍ତି, ଦଳର ନିଷ୍ପତି ସର୍ବୋପରି, ସେ ସଙ୍ଗଠନ ପାଇଁ କାର୍ଯ୍ୟ ଜାରି ରଖିବେ । ୨୦୧୮ରେ ବିଜେପି ତ୍ରିପୁରାରେ ନିର୍ବାଚନ ଜିତିବା ପରେ ବିପ୍ଲବ ଦେବ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପୂର୍ବରୁ ପ୍ରାୟ ୨୫ବର୍ଷ ଧରି ଥିବା ବାମପନ୍ଥୀ ସରକାରଙ୍କୁ ଗାଦିଚ୍ୟୁତ କରିବା ପରେ ବିଜେପି ସରକାର ଗଢିଥିଲା ।