ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମାଣିକ ଶାହା । ଆଜି ଦିନ ସାଢେ ୧୧ଟାରେ ଶପଥ ଉତ୍ସବ ।

74

କନକ ବ୍ୟୁରୋ: ତ୍ରିପୁରା ପାଇବ ନୂଆ ମୁଖ୍ୟମନ୍ତ୍ରୀ । ତ୍ରିପୁରା ବିଜେପିର ଅଧ୍ୟକ୍ଷ ଓ ରାଜ୍ୟସଭା ସାଂସଦ ଡା. ମାଣିକ ଶାହା ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ମାଣିକ ଶାହା ଆଜି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଅଗରତାଲା ରାଜଭବନରେ ସକାଳ ସାଢ଼େ ୧୧ଟା ବେଳେ ମନ୍ତ୍ରିପରିଷଦର ଶପଥ ଗ୍ରହଣ ସମାରୋହ ହେବ, ଯେଉଁଠାରେ ମାଣିକ ଶାହାଙ୍କୁ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ଶପଥ ପାଠ କରାଇବେ ।

ତେବେ ଏହାପୂର୍ବରୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଶନିବାର ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପୂର୍ବରୁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିିଥିଲେ । ବିଜେପି ଶାସିତ ଏହି ରାଜ୍ୟର ବିଧାନସଭା ନିର୍ବାଚନକୁ ଆଉ ବର୍ଷଟେ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିପ୍ଳବ ଦେବ ।

କୁହାଯାଉଛି, ଦଳରେ ବିପ୍ଲବ ଦେବଙ୍କ ବିରୋଧରେ ଅସନ୍ତୋଷ ରହିଥିଲା । ତାଙ୍କ ବିରୋଧରେ ଦିଲ୍ଲୀରେ ଅନେକ ନେତା ଅଭିଯୋଗ କରିଥିଲେ । ଆଉ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ କୌଣସି ରିସ୍କ ନେବାକୁ ଚାହୁଁନଥିଲା । ତେବେ ଇସ୍ତଫା ଦେବା ପରେ ବିପ୍ଳବ ଦେବ କହିଛନ୍ତି, ଦଳର ନିଷ୍ପତ୍ତି ସର୍ବୋପରି, ସେ ସଙ୍ଗଠନ ପାଇଁ କାର୍ଯ୍ୟ ଜାରି ରଖିବେ । ୨୦୧୮ରେ ବିଜେପି ତ୍ରିପୁରାରେ ନିର୍ବାଚନ ଜିତିବା ପରେ ବିପ୍ଲବ ଦେବ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପୂର୍ବରୁ ପ୍ରାୟ ୨୫ବର୍ଷ ଧରି ଥିବା ବାମପନ୍ଥୀ ସରକାରଙ୍କୁ ଗାଦିଚ୍ୟୁତ କରିବା ପରେ ବିଜେପି ସରକାର ଗଢିଥିଲା ।