ମନମୋହୁଛି ଝୁନାଙ୍କ ହାତ ତିଆରି ମାଣିଆବନ୍ଧ ଶାଢୀ: ଘର କାମ ସହିତ ଶାଢି ତିଆରି କରି ରୋଜଗାରକ୍ଷମ ହୋଇଛନ୍ତି ଝୁନା

210

କନକ ବ୍ୟୁରୋ: ବେଶଭୁଷା ପ୍ରତି ରୁଚି ରଖୁଥିବା ନାରୀ ମାନେ ଶାଢୀକୁ ପ୍ରଥମ ପସନ୍ଦ ଭାବେ ବାଛିଥାଆନ୍ତି । ଆଉ ଏଇଥିପାଇଁ ଶାଢୀ ଦୋକନ ଗୁଡ଼ିକରେ ଜମିଥାଏ ମହିଳା ମାନଙ୍କ ଭିଡ଼ । ଅନଲାଇନ୍ ହେଉ କିମ୍ବା ଅଫଲାଇନ୍ ଶାଢୀ କିଣିବାକୁ ଅନେକ ସର୍ଚ୍ଚ କରିଥାଆନ୍ତି । ବିଶେଷକରି ପାରମ୍ପାରିକ ଶାଢୀ କିଣିବାକୁ ମହିଳା ମାନଙ୍କର ରୁଚି ରହିଥାଏ । କଟକ ସହରର ମାଣିଆବନ୍ଧ ଶାଢୀର ପ୍ରସିଦ୍ଧି ବିଶ୍ୱ ଦରବାରରେ ରହିଛି । ଆଉ ଏହାକୁ ତିଆରି କରୁଛନ୍ତି ବୁଣାକାର ପରିବାରରେ ଜନ୍ମ ହୋଇଥିବା ଜଣେ ଗୃହୀଣି ଝୁନା ଦାସ ।

ଐତିହାସିକ ସହର କଟକର ମାଣିଆବନ୍ଧ ଶାଢୀର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି । ମାଣିଆବନ୍ଧରେ ତିଆରି ହେଉଥିବା ପାଟ ଶାଢୀର ପ୍ରସିଦ୍ଧି ବିଶ୍ୱ ଦରବାରରେ ରହିଥିବା ବେଳେ ଏହାକୁ ଏବେ ଜୀବିକା ଭାବେ ବାଛିନେଇଛନ୍ତି ଝୁନା ଦାସ । ସେ ଜଣେ ଗୃହିଣୀ ହୋଇ ମଧ୍ୟ ନିଜର ଘର କାମ ସହିତ ଶାଢୀ ତିଆରି କରିବାରେ ଦକ୍ଷତା ହାସଲ କରିଛନ୍ତି । ପାରମ୍ପାରିକ ଶାଢୀ କିଣିବାକୁ ମହିଳା ମାନଙ୍କର ସ୍ୱତନ୍ତ୍ର ରୁଚି ରହିଥିବା ବେଳେ ଝୁନାଙ୍କ ହାତ ତିଆରି ମାଣିଆବନ୍ଧ ପାଟ ଶାଢୀ ସମସ୍ତଙ୍କୁ ପସନ୍ଦ ଆସୁଛି । କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ମାଣିଆବନ୍ଧ ହରିହରପାଟଣାରେ ଏକ ବୁଣାକାର ପରିବାରରେ ଝୁନାଙ୍କର ଜନ୍ମ । ଝୁନା ପିଲାବେଳୁ ତନ୍ତଶାଢୀ ଓ ବସ୍ତ୍ର ତିଆରି କାମ ଶିଖିଥିଲେ । ବିବାହ ପରେ ସେ ଶାଢୀ ବୁଣିବା କାମ ଛାଡ଼ିଦେଇଥିଲେ । କନ୍ତୁ ପରିବାରର ଆର୍ଥିକ ସ୍ଥିତି ସୁଦୃଢ ନଥିବାରୁ ପୁଣି ଥରେ ଘରେ ଏକ ତନ୍ତ ସ୍ଥାପନ କରି ମାଣିଆବନ୍ଧ ଶାଢୀ ବୁଣିବା କାମ ଆରମ୍ଭ କରିଛନ୍ତି ।

କେବଳ ଶାଢୀ ତିଆରିରେ ସୀମିତ ନାହିଁ ଝୁନାଙ୍କ କାରିଗରି । ଲୁଙ୍ଘି, ଗାମୁଛା ଡ଼୍ରେସ କପଡ଼ା ବୁଣି ସେ ବଜାରକୁ ବିକ୍ରୟ ପାଇଁ ପଠାଉଛନ୍ତି । ଗୋଟିଏ ଶାଢୀ କିମ୍ବା ଡ଼୍ରେସ୍ କପଡ଼ା ବୁଣିବା ପାଇଁ ଝୁନାଙ୍କୁ ୧୦ରୁ ୧୨ ଦିନ ସମୟ ଲାଗିଥାଏ । ପରିବାରର ସବୁ କାମ ଭିତରେ ସେ ଦୈନିକ ୨ଘଂଟା ସମୟ ବାହାର କରି ଶାଢୀ ବୁଣା କାମ କରନ୍ତି । ତାଙ୍କର ଏହି କାମରେ ତାଙ୍କୁ ପରିବାର ଲୋକେ ଖୁବ୍ ସାହାଯ୍ୟ କରନ୍ତି । ବଜାରରୁ କଂଚାମାଲ ଆଣି ଚରଖାରେ ସୁତା ଗୁଡ଼ାଇ ଶାଢୀ ତିଆରି ପର୍ଯ୍ୟନ୍ତ ଏଥିରେ ସହଯୋଗ କରନ୍ତି ତାଙ୍କ ପରିବାର ଲୋକ ।

ଭାଇଚାରାର ସହର କଟକ ଅନେକ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଛି । ଯେମିତିକି କଟକ ରସୋଗୋଲା ଓ କଟକ ଦହିବରା । ସେହିପରି ଝୁନାଙ୍କ ହାତ ତିଆରି ମାଣିଆବନ୍ଧ ଶାଢୀ କିଣିବାକୁ ଗ୍ରହକଙ୍କ ଭିଡ ଜମୁଛି । ଝୁନାଙ୍କ ଏଭଳି ପ୍ରୟାସ ପାଇଁ ତାଙ୍କ ପରିବାରର ଆର୍ଥିକ ସ୍ଥିତି ସୁଧାର ଆସିବାରେ ସହାୟକ ହୋଇଛି । ସରକାରୀ ସ୍ତରରେ ଶାଢୀ ତିଆରି ପାଇଁ କିଛି ସହାୟତା ମିଳିଲେ ଏହି ବ୍ୟବସାୟ ଆଗକୁ ନେଇପାରନ୍ତେ ବୋଲି କହିଛନ୍ତି ଝୁନା ଦାସ ।