ବ୍ରହ୍ମପୁରରେ ଜମିଲାଣି ଆମ୍ବ ବଜାର । ଦୋକାନରେ ସୁନ୍ଦରୀ, ଠୁରୀ, ନଡିଆପରି ବିଭିନ୍ନ କିସମର ଆମ୍ବର ପସରା ।

251

କନକ ବ୍ୟୁରୋ: ଖରାଦିନ ଆରମ୍ଭ ହେବା ମାତ୍ରେ ବଜାରରେ ଆମ୍ବ ଦୋକାନ ଆଗରେ ଜମେ ଗ୍ରାହକଙ୍କ ଭିଡ । ବିଭିନ୍ନ ପ୍ରକାର ଆମ୍ବ କିଣି ଘରକୁ ନିଅନ୍ତି ଲୋକେ । ସୁନ୍ଦରୀ, ହାତୀମୁଣ୍ଡ, ନଡିଆ, ଠୁରୀ, ବାଇଗଣପଲୀ ସମେତ ବିଭିନ୍ନ ପ୍ରକାର ଆମ୍ବ କିଣିବାକୁ ରେଶମ ସହରରେ ଥିବା ଜିଲ୍ଲାର ସବୁଠାରୁ ବଡ଼ ଆମ୍ବ ମାର୍କେଟରେ ଜମେ ଗ୍ରାହକଙ୍କ ସମେତ ବେପାରୀଙ୍କ ଗହଳି ।

ପ୍ରତ୍ୟେକ ଦିନ ଏହି ବଜାରକୁ ରାଜ୍ୟ ସମେତ ରାଜ୍ୟ ବାହାରୁ ବହୁ ସଂଖ୍ୟକ ଗାଡି ଆସିଥାଏ । ବିଶେଷ କରି ପଡୋଶୀ ଆନ୍ଧ୍ରପ୍ରଦେଶରୁ ଶହ ଶହ ସଂଖ୍ୟାରେ ଗାଡି ବ୍ରହ୍ମପୁରର ଏହି ବଜାରକୁ ଆସିଥାଏ । ଆଉ ଏଠାରେ ଆମ୍ବ କିଣାବିକା ପାଇଁ ଜମେ ପ୍ରବଳ ଗହଳି । ବ୍ରହ୍ମପୁର ସମେତ ପୁରା ଗଞ୍ଜାମ ଜିଲ୍ଲାର ସମସ୍ତ ଅଂଚଳକୁ ଏଠାରୁ ପ୍ରତ୍ୟେକ ଦିନ ଟନଟନ୍ ଆମ୍ବ ଯାଇଥାଏ ।

କେବଳ ଯେ ବ୍ରହ୍ମପୁରର ଏହି ବଜାରରେ ଆମ୍ବ କିଣିବାକୁ ଲୋକଙ୍କ ଭିଡ ଜମୁଛି ତା ନୁହେଁ ବରଂ ସହରର ରାସ୍ତାକଡରେ ବି ଆମ୍ବର ପସରା ମେଲିଛି । କିନ୍ତୁ ବାହାର ଦୋକାନ ଅପେକ୍ଷା ଏହି ଆମ୍ବ ବଜାରରେ ଦର କମ୍ ଥିବାରୁ ଲୋକଙ୍କ ଅଧିକ ଭିଡ ଦେଖିବାକୁ ମିଳୁଛି । ସେପଟେ ଗତବର୍ଷ କରୋନା ଯୋଗୁଁ ବ୍ୟବସାୟରେ ବହୁ କ୍ଷତି ହୋଇଥିବା ବେଳେ ଚଳିତ ବର୍ଷ ଭଲ ବ୍ୟବସାୟ ହେବା ନେଇ ଆଶା ରଖିଛନ୍ତି ବେପାରୀ । କିନ୍ତୁ ବର୍ତମାନ ପୁଣି ସଂକ୍ରମଣ ସଂଖ୍ୟା ବଢିବା ଏମାନଙ୍କ ଚିନ୍ତାକୁ ବି ବଢାଇଦେଇଛି ।