ରୋଚକ ହେଉଛି ସୁନ୍ଦରଗଡ଼ ରାଜନୀତି । ବିଜେଡି ଉପସଭାପତି ମଙ୍ଗଳା କିଷାନଙ୍କ ବିଷୋଦଗାର । ମନ୍ତ୍ରୀ ସାରଦା ନାୟକ ଓ ପ୍ରୀତିରଞ୍ଜନ ଘଡେଇ ସୁନ୍ଦରଗଡରେ ଦଳକୁ କରୁଛନ୍ତି ଦୁର୍ବଳ ।

544

କନକ ବ୍ୟୁରୋ: ସୁନ୍ଦରଗଡରେ ବିଜେଡି ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି । ଦୁଇଟି ବିଜେଡି ନେତାଙ୍କୁ ନିଲମ୍ବନ ପରେ ଜିଲ୍ଲାରେ ବିଜେଡି ଦୁଇଭାଗ ହୋଇଯାଇଛି । ନିଲମ୍ବିତ ନେତା ରାଉରକେଲା ବିଧାୟକ ସାରଦା ନାଏକଙ୍କୁ ଟାର୍ଗେଟ କରିଛନ୍ତି । ଆଉ ଏମାନଙ୍କ ସହ ସ୍ୱର ମିଳାଇଛନ୍ତି ମଙ୍ଗଳା କିଷାନ । ତେବେ ଏହି ସମୟରେ ମଙ୍ଗଳା କିଷାନ ଦିଲ୍ଲୀପ ରାୟଙ୍କୁ ଭେଟିବା ଚର୍ଚ୍ଚାକୁ ବଢାଇଦେଇଛି ।

  • ସୁନ୍ଦରଗଡରେ ବିଜେଡି ବନାମ ବିଜେଡି
  • ସାରଦାଙ୍କୁ ମଙ୍ଗଳାଙ୍କ ଟାର୍ଗେଟ!

ସୁନ୍ଦରଗଡରେ ବିଜେଡିର ଗୋଷ୍ଠକନ୍ଦଳ ଚରମସୀମାରେ ପହଞ୍ଚିଛି । ଯୁବ ବିଜେଡି ନେତା ପ୍ରକାଶ ପାଶୱାନ ଓ ଛାତ୍ର ବିଜେଡି ରାଜ୍ୟ ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ପରେ ଏହି କନ୍ଦଳ ତୀବ୍ର ହୋଇଛି । ରବୀନ୍ଦ୍ର ସାମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀ ସାରଦା ନାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡେଇଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ମଙ୍ଗଳା କିଷାନ ରବୀନ୍ଦ୍ରଙ୍କ ସ୍ୱରରେ ସ୍ୱର ମିଳାଇ ଦଳୀୟ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି ।

  • ସୁନ୍ଦରଗଡ ରାଜନୀତିରେ ହେବ କି ଓଲଟପାଲଟ?
  • ଦିଲ୍ଲୀପ ରାୟଙ୍କୁ ଭେଟିଲେ ମଙ୍ଗଳା କିଷାନ

ଗୋଷ୍ଠୀ କନ୍ଦଳକୁ ନେଇ ସୁନ୍ଦରଗଡ ବିଜେଡି ରାଜନୀତି ସରଗରମ ଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଭେଟିଛନ୍ତି ମଙ୍ଗଳା କିଷାନ । ଆଉ ଏହା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟଙ୍କ ମଧ୍ୟରେ କଣ ଆଲୋଚନା ହେଲା ତାହା ସ୍ପଷ୍ଟ ହୋଇନାହିଁ । ଏଭଳି ଭେଟଘାଟ ଆସନ୍ତା ନିର୍ବାଚନରେ ସୁନ୍ଦରଗଡ ରାଜନୀତି ପାଣିପାଗକୁ ଓଲଟପାଲଟ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଆଉ ବିଜେଡିକୁ ସୁଦୃଢ କରିବାକୁ ବିଜେଡି ସୁପ୍ରିମୋଙ୍କ ହସ୍ତକ୍ଷେପ ଲୋଡିଛନ୍ତି ମଙ୍ଗଳା କିଷାନ ।

ରାଉରକେଲାର ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସୁନ୍ଦରଗଡ ରାଜନୀତିରେ ଦବଦବା ରହିଛି । ୨୦୧୯ ନିର୍ବାଚନରେ ସାରଦା ନାଏକଙ୍କୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆଉ ଏବେ ଦିଲ୍ଲୀପ-ମଙ୍ଗଳା ଭେଟଘାଟ ରାଜ୍ୟ ରାଜନୀତିକୁ ସରଗରମ କରିଛି

ସୁନ୍ଦରଗଡରେ ଗତ ନିର୍ବାଚନରେ ବିଜେଡିର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ମୋଟ ୭ ବିଧାନସଭା ଆସନରୁ ବିଜେଡି ୨, ବିଜେପି-୩ ,କଂଗ୍ରେସ ଓ ସିପିଏମ ଗୋଟିଏ ଲେଖାଁଏ ଆସନ ଜିତିଥିଲେ । ଆଉ ଏବେ ଶାରଦା-ମଙ୍ଗଳା କଳି ନ ତୁଟିଲେ ଏହା ୨୦୨୪ ନିର୍ବାଚନକୁ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି ।