କୋରାପୁଟ ରାଜପୁଟ ପଂଚାୟତରେ ନିର୍ମାଣ ହୋଇଛି ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ୍: କାମ କରି ରୋଜଗାରକ୍ଷମ ହେଉଛନ୍ତି ଏସଏଚଜି ମହିଳା

179

କନକ ବ୍ୟୁରୋ: ମିଲେଟ୍ ମିଶନ ଜରିଆରେ ଉପକୃତ ହେଉଛନ୍ତି କୋରାପୁଟ ସେମିଳିଗୁଡ଼ା ଅଂଚଳର ମହିଳା । ବିଶେଷକରି କୋରାପୁଟ ମାଣ୍ଡିଆର ଚାହିଦା ବଜାରରେ ଅଧିକ ରହିଛି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ରାଜପୁଟ ପଂଚାୟତରେ ନିର୍ମାଣ ହୋଇଛି ମାଣ୍ଡିଆ ପ୍ରକ୍ରିୟାକରଣ ୟୁନିଟ୍ । ପାଖାପାଖି ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି ପ୍ରକ୍ରିୟାକରଣ ୟୁନିଟ୍ ନିର୍ମାଣ କରାଯାଇଛି । ଦୈନିକ ଏକ ଟନ ମାଣ୍ଡିଆ ପ୍ରକ୍ରିୟାକରଣ କରିବାର କ୍ଷମତା ରଖିଥିବା ଏହି ପ୍ଲାଂଟରେ ଏସଏଚଜି ମହିଳା ମାନେ କାମ କରି ଉପକୃତ ହେଉଛନ୍ତି । ଏହା ସହ ଆଖପାଖ ଅଂଚଳର ୫ ହଜାରରୁ ଅଧିକ ମାଣ୍ଡିଆ ଚାଷୀ ମାନେ ମଧ୍ୟ ଲାଭବାନ ହେଉଛନ୍ତି ।

ଆଧୁନିକ ଜ୍ଞାନକୌଶଳ ଉପଯୋଗ କରି ଏହି ମେସିନ୍ ସାହାଯ୍ୟରେ ମାଣ୍ଡିଆ ଅଟା, ମାଣ୍ଡିଆ ଛତୁଆ ଉତ୍ପାଦନ କରାଯାଉଛି । ମାଣ୍ଡିଆକୁ ଭାଜିବା ଏବଂ ସେଥିରୁ ବେକରି ସାମଗ୍ରୀ ପ୍ରସ୍ତୁତ କରିବା ଭଳି ଦୁଇଟି ୟୁନିଟ୍ ମଧ୍ୟ ରହିଛି । ଏହି କାମରେ ଗ୍ରାମାଂଚଳର ଏସଏଚଜି ମହିଳା ମାନେ ନିୟୋଜିତ ହୋଇ ମାସକୁ ୧୦ରୁ ୧୨ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ଆଗରୁ ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିବା ଏହି ମହିଳା ମାନେ ଘର ପାଖରେ କାମ ପାଇ ବେଶ ଖୁସି ପ୍ରକାଶ କରିଛନ୍ତି ।

ମାଣ୍ଡିଆରେ ପ୍ରଚୁର ପରିମାଣର କ୍ୟାଲସିୟମ, ପ୍ରୋଟିନ୍ ଭିଟାମିନ୍ ଭଳି ପୋଷକ ତତ୍ୱ ରହିଛି । ଦିନକୁ ଦିନ ଏହି ଖାଦ୍ୟର ଚାହିଦା ବଢ଼ୁଥିବାରୁ ଏସଏଚଜି ମହିଳା ମାନେ ମଧ୍ୟ ଉପକୃତ ହେଉଛନ୍ତି ।