କନକ ବ୍ୟୁରୋ: ଧାନ ଅମଳ ପରେ ଏବେ ବିକ୍ରି ସମୟ । ମଣ୍ଡିରେ ସରକାରୀ ଦରରେ ଧାନ ବିକ୍ରୀ ପାଇଁ ଚାଷୀଙ୍କୁ ସରକାର ପରାମର୍ଶ ଦେଇଛନ୍ତି । ହେଲେ ସମ୍ବଲପୁର କୁଚିଣ୍ଡାରେ ଧାନ ବିକ୍ରୀକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ମଣ୍ଡିରେ ବିକିଲେ ବେଶି କଟନି ଛଟନି ହେଉଥିବା ବେଳେ ସିଧାସଳଖ ମିଲରେ ଦେଲେ କମ କଟନି-ଛଟନି ହୋଇ ଉଚିତ ମୂଲ୍ୟ ମିଳୁଥିବା ମତ ପ୍ରକାଶ ପାଇଛି । ଏହା କିଛି ଅସାଧୁ ବ୍ୟବସାୟୀ ଓ ମିଲର ଏଜେଂଟଙ୍କ ଅପପ୍ରଚାର ବୋଲି କୁହାଯାଉଛି । ଅନ୍ୟପଟେ କୌଣସି ସରକାରୀ କାଗଜ ପତ୍ର ନଥାଇ ଖୋଲାଖୋଲି ଚାଷୀଙ୍କଠାରୁ କମ ଦରରେ ଧାନ କିଣୁଛନ୍ତି ବେପାରୀ ।

Advertisment

publive-image

ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଓ ଏହାର ଆଖପାଖ ଅଂଚଳରେ ଚାଲିଛି ଦଲାଲ ଓ ରାଇସ୍ ମିଲ ଏଜେଂଟଙ୍କ ରାଜ । ଚାଷୀ ମଣ୍ଡିରେ ଧାନ ନବିକି ସିଧାସଳଖ ମିଲକୁ ନେଇ ବିକିଲେ ବେଶି କଟନିଛଟନି ହେବ ନାହିଁ ବୋଲି ଅପପ୍ରଚାର ପରେ ବଢୁଛି ଅସନ୍ତୋଷ । ଅଧିକାଂଶ ମଣ୍ଡିରେ ମିଲର, ଧାନ କିଣୁଥିବା ସଂସ୍ଥା ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ପରେ କ୍ୟୁଂଟାଲ ପିଛା ୨ରୁ ୩ କିଲୋ ଧାନ କଟନିଛଟନି କରାଯାଉଛି । ଆଉ କିଛି ମଣ୍ଡିରେ ଧାନର ମାନ ନିର୍ଣ୍ଣୟ କରୁଥିବା ସଂସ୍ଥା ଅଧିକ ପ୍ରାୟ ୨୦ରୁ ୨୧ କିଲୋ ପର୍ଯ୍ୟନ୍ତ ଧାନ କାଟ୍ କରୁଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।

publive-image

ମଣ୍ଡିରେ ଅବ୍ୟବସ୍ଥାର ଫାଇଦା ଉଠାଉଛନ୍ତି ଦଲାଲ । ମଣ୍ଡିରେ ଅଧିକ କଟନି ଛଟନି ହେଉଥିବାରୁ ଚାଷୀ ନିଜ କଷ୍ଟ ଉପାର୍ଜିତ ଧନକୁ ଶାଗମାଛ ଦରରେ ଅସାଧୁ ବେପାରୀଙ୍କୁ ବିକ୍ରି କରିଦେଉଛନ୍ତି । ବିନା ସରକାରୀ ଲାଇସେନ୍ସରେ ଖୋଲାଖୋଲି ଚାଷୀଙ୍କ ଠାରୁ ଧାନ କିଣି ମାଲାମାଲ ହେଉଛନ୍ତି ଦଲାଲ, ଆଉ କ୍ଷତି ସହୁଛନ୍ତି ଚାଷୀ । ତେବେ ସରକାରୀ ଛୁଟି ଥିବାରୁ କୁଚିଣ୍ଡା ଅଂଚଳରେ ଚାଷୀଙ୍କ ସମସ୍ୟା ବିଷୟରେ ପ୍ରଶାଶନର ପ୍ରତିକ୍ରିୟା ମିଲିପାରିନାହିଁ ।