ଶେଷରେ ଚାଷୀଙ୍କ କଥା ଶୁଣିଲେ ସରକାର । ଟୋକନ ନଥିଲେ ଧାନ ବିକ୍ରି କରିପାରିବେ ଚାଷୀ , ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ଚାଷୀ ।

737

କନକ ବ୍ୟୁରୋ : ଏଣିକି ବିନା ଟୋକନରେ ବି ଧାନ ବିକ୍ରି କରିପାରିବେ ଚାଷୀ । ହୀରାକୁଦ ନଦୀବନ୍ଧ ଦ୍ୱାରା ଜଳସେଚିତ ହେଉଥିବା ଅଂଚଳର ଚାଷୀ ଏଭଳି ସୁଯୋଗ ପାଇବେ । ସମ୍ବଲପୁରରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନର ଆନ୍ଦୋଳନ ପରେ ଏହି ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ମନ୍ତ୍ରୀଙ୍କ ଏହି ସୂଚନା ପରେ ପଶ୍ଚିମ ଓଡ଼ିଶାରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଫଳରେ ବରେଇପାଲି ଛକରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛନ୍ତି । ଆସନ୍ତାକାଲିଠାରୁ ମଣ୍ଡି ଗୁଡ଼ିକରେ ଧାନ କିଣା ଚାଲିବ ।

ବିନା ଟୋକନରେ ଧାନ ବିକିବେ ଚାଷୀ । ପଶ୍ଚିମ ଓଡ଼ିଶା ଚାଷୀଙ୍କୁ ମିଳିବ ସୁଯୋଗ । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଏହି ପ୍ରତିଶ୍ରୁତି ସହ ପଶ୍ଚିମ ଓଡ଼ିଶାରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଟୋକନ୍ ବ୍ୟବସ୍ଥାର ପ୍ରତ୍ୟାହାର ଦାବି ଚାଲିଥିବା ଆନ୍ଦୋଳନ ତୀବ୍ରରୂପ ନେଇଥିଲା ଯେତେବେଳେ ସମ୍ବଲପୁରରେ ରାଜରାସ୍ତାକୁ ଓହ୍ଲାଇଥିଲେ ଶହ ଶହ ଚାଷୀ । ସରକାରଙ୍କୁ ଦିଆଯାଇ ଥିବା ସମୟସୀମା ଶେଷ ହେବା ପରେ ଚକାଜାମ୍ କରିଦେଇଥିଲେ ଚାଷୀ । ସ୍ଥିତି ଏମିତି ହୋଇଥିଲା ଯେ, ସରକାରୀ ଦଳ ଉପମୁଖ୍ୟ ସଚେତନ ଏବଂ ମନ୍ତ୍ରୀ ସୁଶାନ୍ତ ସିଂ ଆନ୍ଦୋଳନସ୍ଥଳକୁ ଆସି ଚାଷୀଙ୍କୁ ବୁଝାସୁଝା କରିଥିଲେ ।

ବେଶ୍ କିଛି ସମୟ ଧରି ଚାଷୀଙ୍କ ସହ ଆଲୋଚନା ପରେ ଯେଉଁ ନିଷ୍କର୍ସ ଆସିଥିଲା, ତାହା ଚାଷୀଙ୍କ ଭିତରେ ଥିବା ଉଦବେଗକୁ ଶାନ୍ତ କରିଦେଥିଲା । ନିଷ୍ପତି ହେଲା-ଟୋକନ୍ ନଥିଲେ ବି ଚାଷୀ ଧାନ ବିକ୍ରି କରିପାରିବେ । ନିର୍ଦ୍ଧାରିତ ପରିମାଣଠୁ ଅଧିକ ଧାନ ଥିଲେ ସରକାର ଗ୍ରହଣ କରିବେ । ହୀରାକୁଦ ବନ୍ଧର କ୍ୟାଚମ୍ୟାଣ୍ଟ ଅଂଚଳ ଚାଷୀଙ୍କୁ ମିଳିବ ବିଶେଷ ସୁବିଧା । ଧାନ ବିକ୍ରି ପାଇଁ ଆସୁଥିବା ଚାଷୀଙ୍କ ତୁରନ୍ତ ଟୋକନ୍ ବ୍ୟବସ୍ଥା କରାଯିବ । ଶୁକ୍ରବାରଠାରୁ ସ୍ୱାଭାବିକ ହେବ ଧାନ କିଣା ପ୍ରକ୍ରିୟା । ଏହି ତମାମ୍ ନିଷ୍ପତି ପରେ ଆନ୍ଦୋଳନରୁ ଓହରିଛନ୍ତି ଆନ୍ଦୋଳନ କରୁଥିବା ଚାଷୀ ।

ତେବେ ଚାଷୀଙ୍କ ଏହି ଆନ୍ଦୋଳନ ପରେ ହୋଇଥିବା ନିଷ୍ପତିକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ ।
-ଚାଷୀଙ୍କ ସୁବିଧା ପାଇଁ ହୋଇଥିବା ଏହି ନିଷ୍ପତିରେ ଦଲାଲ୍ ଏବଂ ମିଲ ମାଲିକ ଫାଇଦା ନେବେ ନାହିଁ ତ?
-କଳାବଜାରୀକୁ ଏଭଳି ନିଷ୍ପତି ପ୍ରଭାବିତ କରିବ ନାହିଁ ତ?
– ରାଜ୍ୟର ଅନ୍ୟାନ୍ୟ ଅଂଚଳରୁ ସମାନଧରଣର ଆନ୍ଦୋଳନ ହେଲେ ସରକାର କରିବେ କ’ଣ?