ଅଧା ଓଡ଼ିଶାରୁ ଆସିଲା ଚାଷୀ ଦୁର୍ଦ୍ଦଶାର ସାଂଘାତିକ ଚିତ୍ର । ମଣ୍ଡିରେ ପଡି ପଡ଼ି ଧାନ ହୋଇଗଲାଣି ଗଜା, ୧୨ ଦିନିଆ ଟୋକନ ଅବଧି ପାଇଁ ବ୍ରିକି ହୋଇ ପାରିଲାନି ରବି ଧାନ । 

138

କନକ ବ୍ୟୁରୋ : ସାରା ରାଜ୍ୟରେ ହିନସ୍ତା ହେଉଛନ୍ତି ଅନ୍ନଦାତା । ଜମିରେ ଖଟି ଫସଲ ଫଳାଇଛନ୍ତି, ଅମଳ କରି ବିକ୍ରି ଉଦ୍ଦେଶ୍ୟରେ ମଣ୍ଡିକୁ ଆଣିଛନ୍ତି । ହେଲେ ପ୍ରଶାସନ ଓ ମିଲରଙ୍କ ମଧୁଚନ୍ଦ୍ରିକାରେ ଫସି ଯାଇଛନ୍ତି ରବି ଋତୁରେ ଧାନ ଚାଷ କରିଥିବା ଚାଷୀ । ୧୨ ଦିନିଆ ଟୋକନ ଅବଧି ପାଇଁ ବ୍ରିକି ହୋଇପାରିଲାନି ଧାନ । ମଣ୍ଡିରେ ଓ ଘରେ ପଡ଼ି ଧାନ ଗଜା ହୋଇଗଲାଣି । ଦକ୍ଷିଣରୁ ପଶ୍ଚିମ ଓଡିଶା, ସବୁଠି ମଣ୍ଡିରେ ଚାଷୀଙ୍କୁ ଉପେକ୍ଷା କରାଯାଉଥିବା ଭଳି ସାଘାଂତିକ ଅଭିଯୋଗ ଆସିଛି ।

ଚାଷୀର କାହାଣୀ ତ ଏଠି ଚିତ୍ର କହୁଛି, ଆଉ ବା ଅଧିକ କ’ଣ କୁହାଯାଇପାରେ । ବିଡମ୍ବନା ଦେଖନ୍ତୁ, ମଣ୍ଡିରୁ ଧାନ ଉଠି ପାରୁନି କିନ୍ତୁ ଗଦା ହୋଇଥିବା ଧାନରୁ ଗଜା ଉଠିଗଲାଣି । ଏଦିନ ଦେଖିବା ପାଇଁ କୌଣସି ଚାଷୀ ବିଲରେ ଖଟିନଥିବ । ଏଦିନ ଦେଖିବା ପାଇଁ ଚାଷୀ ଧାର-କରଜ କରି ଚାଷ କରିନଥିବ । ଦୁର୍ଯୋଗ କୁହନ୍ତୁ ବା ଦୁର୍ଭାଗ୍ୟ, ଆଖି ଆଗରେ ଚାଷୀର ଆଶା ମଉଳି ଯାଉଛି ।

ବନ୍ଦ ରହିଛି ମଣ୍ଡି, ହେଲେ ଗଦା ହୋଇଛି ଧାନ । ସମ୍ବଲପୁର ଜିଲ୍ଲାର ପରମାଣପୁର, ତବଲା ଓ ଶେରସୁଆଁତଳ ଅଂଚଳରେ ଚାଷୀଙ୍କ ଅବସ୍ଥା ସଙ୍ଗୀନ । ବିକ୍ରି ହୋଇନପାରି ରବି ରୁତୁର ଧାନ, ମଣ୍ଡିରେ କିମ୍ବା ଘରେ ଗଦା ହୋଇ ରହିଛି । ମଣ୍ଡି ବନ୍ଦ ହୋଇଯିବା ପରେ ଅଧା ଦାମରେ ମଧ୍ୟ ଧାନ କିଣିବାକୁ ଅରାଜି ମିଲର୍ । ଫଳରେ ନିଜର ଉତ୍ପାଦିତ ଫସଲକୁ କେଉଁଠି ବିକିବ ଚାଷୀ, କାହାକୁ ଦେବ ତାକୁ ନେଇ ଚିନ୍ତାରେ ସମ୍ବଲପୁର ଜିଲ୍ଲାର ଶହ ଶହ ଚାଷୀ ।

ବରଗଡରେ ମଧ୍ୟ ମଣ୍ଡିରେ ପଡି ରହିଛି ଧାନ । ବର୍ଷାରେ ଓଦା ହୋଇ ଧାନ ଗଜା ହୋଇପଡ଼ିଛି । ଧାନ ଉଠାଇବା ଦାବିରେ ଚାଷୀ ଆନ୍ଦୋଳନ କରୁଛି, ଆଉ ପ୍ରଶାସନିକ କଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛି । କିନ୍ତୁ ଫଳ କିଛି ହେଉନାହିଁ । ଆଉ ଭାଗ୍ୟକୁ ଆଦରି ପଡ଼ି ରହିଛି ବରଗଡ଼ ଚାଷୀ ।

କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଅଧିକାଂଶ ମଣ୍ଡିରେ ୨୦ ହଜାର କ୍ୱିଟାଂଲରୁ ଅଧିକ ଧାନ ପଡି ରହିଥିବାବେଳେ ଜୟପୁର ବ୍ଲକର ଅଧିକାଂଶ ବ୍ଲକରେ ୧୫ ହଜାର କ୍ୱିଟାଂଲରୁ ଅଧିକ ଧାନ ମଣ୍ଡିରେ ପଡି ରହିଛି । ଗଦା ହୋଇ ପଡିଛି ଶହ ଶହ କ୍ୱିଟାଂଲ ଧାନ । କେତେକ ଖୋଲା ମେଲାରେ ବର୍ଷାରେ ଭିଜୁଛି, ତ ଆଉ କେତେକ ପଲିଥିନ ଛାତ ତଳେ ଗଦା ହୋଇ ରହିଛି ।

ଦକ୍ଷିଣରୁ ପଶ୍ଚିମ ସବୁଠି ମଣ୍ଡି ସମସ୍ୟାରେ ଘାଂଟି ହେଉଛନ୍ତି ଚାଷୀ । ସୁବର୍ଣ୍ଣପୁର ଜିଲ୍ଳାର ଚାଷୀ ମଧ୍ୟ ଧାନ ବିକ୍ରି କରିବା ପାଇଁ ଦହଗଂଜ ହେଉଛନ୍ତି । ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ଚାଷୀ, ଉଭୟ ଘରେ ଓ ମଣ୍ଡିରେ ଧାନ ଗଦା କରି ରଖିଛନ୍ତି । ହେଲେ ବିକ୍ରି ହୋଇପାରୁନି । କେଉଁଠି ଟୋକନ୍ ଲାପ୍ସ କରିଯାଉଛି, ତ ଆଉ କେଉଁଠି ଧାନ ଉଠୁନି ।