ମଣ୍ଡିରେ ପଡିଛି ଧାନ, ରାସ୍ତାକୁ ଓହ୍ଲାଇଲେ ଚାଷୀ । କଳାହାଣ୍ଡି ଗୋଲମୁଣ୍ଡାରେ ଟାର୍ଗେଟ ପୂରଣ ହୋଇଥିବା କହି ଧାନ କିଣୁ ନାହାନ୍ତି ମିଲର  ।

94
କନକ ବ୍ୟୁରୋ: ସରୁନି ମଣ୍ଡି ସମସ୍ୟା । ପଶ୍ଚିମରୁ ଦକ୍ଷିଣ ଓଡିଶା ସବୁଠି ଚାଷୀ ସେହି ଗୋଟିଏ ସମସ୍ୟାର ସମ୍ମୁଖୀନ କରୁଛନ୍ତି । ନିର୍ଦ୍ଧାରିତ ସମୟରେ ମଣ୍ଡିରୁ ଧାନ ଉଠୁନାହିଁ । କେଉଁଠି ଟାର୍ଗେଟ ନାହିଁ କହି ଧାନ କିଣୁ ନାହାନ୍ତି ମିଲର୍ସ । ପୁଣି କେଉଁଠି ଧାନ କିଣାରେ ଅବ୍ୟବସ୍ଥା ଚାଷୀଙ୍କୁ ଗରମ କରିଛି । ଏହାର ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଓ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ରାସ୍ତାରୋକ କରିଛନ୍ତି ଚଷା ପୁଅ ।
ତାଳୁ ଝାଳ ତଳିପାରେ ମାରି ଧାନ ଅମଳ କରିଛି ଚାଷୀ । ବସ୍ତାରେ ଭରି ବିକ୍ରି ପାଇଁ ମଣ୍ଡିକୁ ଆଣିଛନ୍ତି । ହେଲେ ଧାନ ବିକିବେ କଣ, ମଣ୍ଡିରେ ରାତ୍ରି ଜଗୁଆଳି ସାଜିଛନ୍ତି ଚାଷୀ । ଗୋଲାମୁଣ୍ଡା ବ୍ଲକ ଧାମନପୁର ମଣ୍ଡିରେ ଶୀତ କାକରରେ ପଡି ରହିଛି ଧାନ, ଜଗି ରହୁଛନ୍ତି ଚାଷୀ । ଧାନ କିଣିବା ଦାୟିତ୍ୱ ନେଇଥିବା ଅର୍ଣ୍ଣପୂର୍ଣ୍ଣ ରାଇସ ମିଲ, ବାସୁଦେବ ରାଇସ ମିଲ ଓ କଳିଙ୍ଗ ରାଇସ ମିଲ ଟାର୍ଗେଟ ଅନୁସାରେ ଧାନ କିଣି ସାରିଥିବାରୁ ଘୋର ଚିନ୍ତାରେ ଅଛନ୍ତି ଚାଷୀ । ତେବେ ଅନେକ ସ୍ଥାନରେ ଟାର୍ଗେଟ ବଢାଇ ଧାନ କିଣୁଥିବା ସରକାର ଧାମନପୁର ମଣ୍ଡିରେ କାହିଁକି ଟାର୍ଗେଟ ବଢାଇନେ ନାହିଁ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି ।
ସରୁନି ମଣ୍ଡି ସମସ୍ୟା । ପଶ୍ଚିମରୁ ଦକ୍ଷିଣ ସବୁଠି ଚାଷୀ ସେହି ଗୋଟିଏ ସମସ୍ୟାର ସମ୍ମୁଖୀନ କରୁଛନ୍ତି । ନିର୍ଦ୍ଧାରିତ ସମୟରେ ମଣ୍ଡିରୁ ଧାନ ଉଠୁନାହିଁ । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକର ୪ଟି ମଣ୍ଡିରେ ଧାନ ବିକ୍ରିରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଆରଏମସି ନିର୍ଦ୍ଦେଶକ କ୍ଷେମାରାଜ ବାଘଙ୍କ ନେତୃତ୍ୱରେ ଧାନ ବସ୍ତା ରଖି ରାସ୍ତାରୋକ କରାଯାଇଛି । ମଣ୍ଡିରେ ଶହଶହ ଧାନ ବସ୍ତା ପଡିଥିବା ବେଳେ ବଛା ବଛା କିଛି ଚାଷୀଙ୍କ ଧାନ କିଣାଯାଉଥିବା ଅଭିଯୋଗ ହୋଇଛି ।
କେତେବେଳେ କଟନି ଛଟନିକୁ ନେଇ ତ କେତେବେଳେ ଓଜନ ମାପକୁ ନେଇ ଚାଷୀ ମଣ୍ଡିରେ ଶୋଷାଣର ଶିକାର ହେଉଥିବା ଖବର ଆସିଥାଏ । ଆଉ ଏବେ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ଓ ନବରଙ୍ଗପୁର ଉମରକୋଟ୍ରୁ ଆସିଛି ଧାନ ବିକ୍ରି ହୋଇ ପାରୁନଥିବା ଅଭିଯୋଗ ।