ମଣ୍ଡିରୁ ଆସିଲା ଅଚଳାବସ୍ଥାର ଚିତ୍ର : ଉଠୁନି ଧାନ, ସରିବାକୁ ବସିଲାଣି ଟୋକନ ଅବଧି । ଢେଙ୍କାନାଳ ଓ ବାଲେଶ୍ୱରରେ ଚାଷୀଙ୍କ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ ।

99

କନକ ବ୍ୟୁରୋ: ରାଜରାସ୍ତାରେ ଧାନ ବସ୍ତା ପକାଇ ଚାଷୀଙ୍କ ବିରୋଧ ପ୍ରଦର୍ଶନ । ମଣ୍ଡିରୁ ଧାନ ଉଠାଇବା ଦାବିରେ ଢେଙ୍କାନାଳ ଜିଲ୍ଲା କାମାକ୍ଷନଗର କଇଁବିଲ ଛକ ନିକଟରେ ଧନା ବସ୍ତା ରଖି ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀ । ଫଳରେ ଯାଜପୁର-କାମାକ୍ଷନଗର- ଅନୁଗୁଳକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । କାମାକ୍ଷନଗର ବ୍ଲକ କାଦୁଆ ସେବା ସମବାୟ ସମିତି ଅନ୍ତର୍ଗତ ୧୦ଟି ଗାଁର ଚାଷୀଙ୍କ ଧାନ ମଣ୍ଡିରେ ପଡି ରହିଛି । ଟୋକନ ଅବଧି ସରିଯିବାକୁ ବସିଲାଣି ହେଲେ ଧାନ କିଣାଯାଉନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ମଣ୍ଡିରେ ଧାନ କିଣା ଅବ୍ୟବସ୍ଥାକୁ ନେଇ ତାତିଛନ୍ତି ଚାଷୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଚାଫଲା ସେବା ସମବାୟ ସମିତି ସମ୍ମୁଖରେ ଚାଷୀମାନେ ବିକ୍ଷୋଭ କରିଛନ୍ତି । ବିନା କାରଣରେ ୧୧୭ ଜଣ ଚାଷୀଙ୍କ ଟୋକନ ବାତିଲ ହେବା ପରେ ଏପରି ସ୍ଥିତି ଦେଖିବାକୁ ମିଳିଛି । ପ୍ରକୃତ ଚାଷୀଙ୍କ ଠାରୁ ଧାନ ନକିଣି ବାହାର ଲୋକଙ୍କ ଠାରୁ ଧାନ କିଣିବା ପାଇଁ ସମିତିର ସଂପାଦକ ଓ ଡାଟା ଏଂଟ୍ରି ଅପରେଟର ମିଶି ଚଂଚକତା କରିଥିବା ଅଭିଯୋଗ ହୋଇଛି ।

ସେପଟେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ତାଳଚୁଆ ଧାନ ମଣ୍ଡିରୁ ଆସିଛି ଚାଷୀ ଦୁର୍ଦ୍ଦଶାର ଚିତ୍ର । ମଣ୍ଡିରେ ପଡି ରହିଛି ଶହ ଶହ ବସ୍ତା ଧାନ, ହେଲେ ଟାର୍ଗେଟ ନାହିଁ କହି ଧାନ କିଣାଯାଉ ନାହିଁ । ଫଳରେ ଦିନ ରାତି କଷ୍ଟ ଉପାର୍ଜିତ ଧାନକୁ ଜଗି ରହିଛନ୍ତି ଚାଷୀ । ରାଜନଗର ବ୍ଲକରେ ପଞ୍ଜିକୃତ ୬ହଜାର ୪ଶହ ୯୭ ଚାଷୀଙ୍କ ମଧ୍ୟରୁ କେବଳ ୨ହଜାର ୪୯୬ ଚାଷୀ ଧାନ ବିକ୍ରି କରିପାରିଛନ୍ତି । ଅବଶିଷ୍ଟ ଚାଷୀ କେବେ ଧାନ ବିକ୍ରି କରିବେ ସେ ନେଇ ଚିନ୍ତାରେ ପଡ଼ିଛି ।