ପଶ୍ଚିମ ଓଡିଶାରେ ମୁଣ୍ଡ ଟେକିଛି ମଣ୍ଡି ସମସ୍ୟା । ବିଭିନ୍ନ ଆଳ ଦେଖାଇ ଧାନ କିଣୁନାହାନ୍ତି ମିଲର । ଅମଳ ହୋଇଛି ଅଧିକ ଧାନ, କିଣିବାକୁ କମ୍ ଟାର୍ଗେଟ୍ ଦେଇଛି ଯୋଗାଣ ବିଭାଗ ।

133

କନକ ବ୍ୟୁରୋ : ପଶ୍ଚିମ ଓଡିଶାରେ ମୁଣ୍ଡ ଟେକିଛି ମଣ୍ଡି ସମସ୍ୟା । ମଣ୍ଡିରେ ଧାନ ବିକ୍ରିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡିରହିଛି ପ୍ରାୟ ଅଢେଇ ଲକ୍ଷ କ୍ୱିଂଟାଲ ଧାନ । ଧାନ କିଣା ଟାର୍ଗେଟ ରହିଛି ମାତ୍ର ୧ ଲକ୍ଷ କ୍ୱିଂଟାଲ । ଟାର୍ଗେଟ ବୃଦ୍ଧି ନ ହେଲେ ଜିଲ୍ଲାର ହଜାର ହଜାର ଚାଷୀ ଟୋକନ ପାଇ ବି ଧାନ ବିକ୍ରିରୁ ବଞ୍ଚିତ ହେବା ନେଇ ଆଶଙ୍କା କରାଯାଉଛି । ସମ୍ବଲପୁର ଭଳି କଳାହାଣ୍ଡି, ବୌଦ୍ଧ ଓ ଦେବଗଡ ଜିଲ୍ଲାରେ ମଧ୍ୟ ଖରିଫ ଧାନ ବିକ୍ରିକୁ ନେଇ ବିବାଦ ଦେଖିବାକୁ ମିଳିଛି ।

ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାରେ ଧାନ କିଣା ଟାର୍ଗେଟ ନବଢାଇଲେ ଲକ୍ଷ ଲକ୍ଷ କ୍ୱିଂଟାଲ ଧାନକୁ ସରକାରୀ ଦରରେ ବିକ୍ରିରୁ ବଂଚିତ ହେବେ ଚାଷୀ । ଜିଲ୍ଲା ଯୋଗାଣ ବିଭାଗ ଓ ରାଜ୍ୟ ଯୋଗାଣ ନିଗମର ସମନ୍ୱୟ ଅଭାବ ଯୋଗୁଁ ଜିଲ୍ଲାରେ ପଂଜିକୃତ ଚାଷୀଙ୍କ ଠାରୁ ୫୮ ଲକ୍ଷ କ୍ୱିଂଟାଲ ଧାନ କିଣିବା ପାଇଁ ଟୋକନ ଦିଆଯାଇଥିବା ବେଳେ ଜିଲ୍ଲାରୁ ମାତ୍ର ୪୬ ଲକ୍ଷ କ୍ୱିଂଟାଲ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

କଳାହାଣ୍ଡିରେ କ୍ରମାଗତ ଭାବେ ଜଳସେଚନ ବୃଦ୍ଧି ପାଉଥିବା ବେଳେ ଧାନ ଅମଳରେ, ରାଜ୍ୟର ଦ୍ୱିତୀୟ ଉତ୍ପାଦନକାରୀ ଜିଲ୍ଲାରୁ ପ୍ରଥମ ହେବାକୁ ଯାଉଛି । ଗତ ୧୪ରେ ଇନ୍ଦ୍ରାବତୀ ବୃହତ ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ଏହା କହିଥିଲେ । ଜଳସେଚନ ଯୋଗୁଁ ଅଧିକ ଧାନ ଅମଳ ହୋଇଥିଲେ ବି ବିକ୍ରି ଅବ୍ୟବସ୍ଥା ଯୋଗୁଁ ଚାଷୀ ସେହି ଚିରାଚରିତ ଅଭାବୀ ବିକ୍ରିର ସାମ୍ନା କରୁଛି ।

ପଶ୍ଚିମ ଓଡିଶାର ଆଉ ୨ଟି ଜିଲ୍ଲାରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଶହ ଶହ ବସ୍ତା ଧାନ ପଡି ରହିଥିବା ବେଳେ ବିଭିନ୍ନ ଆଳ ଦେଖାଇ ମିଲର କିଣୁନଥିବା ଅଭିଯୋଗ ହୋଇଛି । ସେପେଟ ଦେବଗଡ ଜିଲ୍ଲା ବାରକୋଟ୍ ବ୍ଲକର ସରୁଆଳି, ଗୋଳାବନ୍ଧ, ଗୁରସଙ୍ଗ ଓ ବଂପରଡା ପଂଚାୟତର ଚାଷୀଙ୍କ ସୁବିଧା ପାଇଁ ଗୁରସଙ୍ଗ ପ୍ୟାକ୍ସରେ ଧାନ କିଣା ବ୍ୟବସ୍ଥା ହୋଇଛି । କିନ୍ତୁ ଜାନୁୟାରୀ ୨ ତାରିଖରେ ଧାନ ବିକିବା ପାଇଁ ଟୋକନ ପାଇଥିବା ଚାଷୀଙ୍କ ଧାନ ଆଜି ଯାଏଁ ଉଠିନାହିଁ ।