ସାରା ରାଜ୍ୟରେ ଖରିଫ ଧାନ କିଣାରେ ଅବ୍ୟବସ୍ଥା । ମଣ୍ଡିରେ ଚାଲିଛି ମିଲର ଏଜେଣ୍ଟଙ୍କ ମନମାନି ।

104

କନକ ବ୍ୟୁରୋ : ମଣ୍ଡିରେ ଚାଲିଛି ମିଲରଙ୍କ ମନମାନି । ଚାଷୀଙ୍କ ଧାନ କିଣିବାକୁ ନାକେଦମ୍ କରୁଛନ୍ତି ମିଲରଙ୍କ ଏଜେଣ୍ଟ । ଦିନ ରାତି ମଣ୍ଡିରେ ଧାନ ଜଗି ରହୁଛନ୍ତି ଚାଷୀ । ଦେବଗଡ ତିଲେଇବଣୀ ଓ କଟକ ନିଆଳିରୁ ଆସିଛି ମଣ୍ଡି ଅବ୍ୟବସ୍ଥା ଚିତ୍ର ।

ଦେବଗଡ ତିଲେଇବଣୀ ବ୍ଲକ ଦୁଧିଆନାଳି ସେବା ସମବାୟ ସମିତିରେ ପଡିରହିଛି ଧାନ । ୬ଶହ ଚାଷୀ ଧାନ ବିକିବାକୁ ନାମ ପଞ୍ଜିକରଣ କରିଥିବା ବେଳେ ଏଯାଏଁ ୧୬୦ ଜଣଙ୍କ ଠାରୁ ୬ ହଜାର କ୍ୱିଣ୍ଟାଲ ଧାନ କିଣା ହୋଇଛି । ଅବଶିଷ୍ଟ ଚାଷୀ ଧାନ ବିକ୍ରି କରିନପାରି ମଣ୍ଡିରେ ଜଗୁଆଳି ସାଜିଛନ୍ତି । ଦୁଧିଆନାଳି ଚାଷୀଙ୍କ ଧାନ କିଣିବା ପାଇଁ ସମ୍ବଲପୁରର ଭୋଳା ଶଙ୍କର ରାଇସ ମିଲକୁ ଦାୟିତ୍ୱ ଦିଆଯାଇଛି । ତେବେ ମିଲର ସେବା ସମବାୟ ସମିତିକୁ ସହଯୋଗ କରୁନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଦକ୍ଷିଣରୁ ପଶ୍ଚିମ-ପଶ୍ଚିମରୁ ପୂର୍ବ ଓଡିଶା ସବୁଆଡେ ମଣ୍ଡି ସମସ୍ୟା । କଟକ ନିଆଳି ବ୍ଲକ ଶଡାଶଂ ପଂଚାୟତ କପାସୀ ସମବାୟ ସମିତିରେ ଧାନମଣ୍ଡି ଖୋଲିଛି । ଏଠି ଆରମ୍ଭରୁ ଅବ୍ୟସ୍ଥା । ମଣ୍ଡିରେ ମିଲର ଏଜେଣ୍ଟ ଓ ଦଲାଲଙ୍କ ରାଜ ଚାଲିଛି । କ୍ୱିଣ୍ଟାଲ ପିଛା ୫ରୁ ୭ କେଜି ଧାନ କଟନି ଛଟନୀ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି । ରାଜକିଶୋର ପ୍ରଧାନ ନାମକ ଚାଷୀ ଟୋକନ ଅନୁସାରେ ମଣ୍ଡିକୁ ବିକ୍ରି ଉଦ୍ଦେଶ୍ୟରେ ଶହେ ବସ୍ତା ଧାନ ଅଣିଥିଲେ । ହେଲେ ମିଲରଙ୍କ ଏଜେଣ୍ଟ ତାଙ୍କୁ ବିଭିନ୍ନ ଆଳ ଦେଖାଇ ଗୋଟିଏ କିଲୋ ଧାନ କିଣିଲେ ନାହିଁ । ଧାନ ବିକିବା ପାଇଁ ସକାଳୁ ରାତି ଯାଏଁ ଅପେକ୍ଷା କରିବା ପରେ ବାଧ୍ୟ ହୋଇ ସବୁ ଧାନକୁ ଘରକୁ ଫେରାଇ ନେଇଛନ୍ତି ରାଜକିଶୋର । ମଣ୍ଡି ସମସ୍ୟାକୁ ନେଇ ଚାଷୀ କାହାକୁ କହିବେ, କିଏ ବା ଶୁଣିବ । ଧାନ ବିକ୍ରି ବେଳେ ମିଲରଙ୍କ ମନମାନି ଯୋଗୁଁ ମଣ୍ଡିରେ ହିନ୍ନସ୍ତା ହେଉଛନ୍ତି ଅନ୍ନଦାତା ।