ମଣ୍ଡି କଟକଣା ଯୋଗୁଁ ଦଲାଲଙ୍କ ଭରସାରେ ଚାଷୀ । ସରକାରୀ ଦର ଠାରୁ କମ୍ ଦରରେ ବିକ୍ରି କରୁଛନ୍ତି ଧାନ

115

କନକ ବ୍ୟୁରୋ : ଦିନ ଦ୍ୱିପ୍ରହରରେ ରାସ୍ତା ଉପରେ ଆନ୍ଧ୍ରପ୍ରଦେଶର ଏକ ଟ୍ରକରେ ଦଲାଲମାନେ ଧାନ ଲୋଡ କରି ବିକ୍ରି ପାଇଁ ନେଉଛନ୍ତି । ଯେଉଁ ଧାନକୁ ଚାଷୀ, ମଣ୍ଡିରେ ବିକିଥିଲେ ଭଲ ଦି ପଇସା ପାଇଥାନ୍ତା, ବାଧ୍ୟ ହୋଇ ସେହି ଧାନକୁ ବାହାର ରାଜ୍ୟର ଦଲାଲଙ୍କୁ ବିକ୍ରି କରୁଛି । ଆଉ ଏହାର କାରଣ ହେଉଛି, ଚାଷୀ ଯେତିକି ଧାନ ଅମଳ କରିଛନ୍ତି, ତାର ୧୦ ଭାଗରୁ ଭାଗେ ଧାନ ମଣ୍ଡିରେ ବିକିବା ପାଇଁ ଟୋକନ ଆସିଛି । ତେଣୁ ଚାଷୀମାନେ ଧାନ ମଣ୍ଡିକୁ ନନେଇ ମିଲର ଓ ବାହାର ରାଜ୍ୟର ଦଲାଲଙ୍କୁ ବିକ୍ରି କରି ଦେଉଛନ୍ତି ।

ରାଜନଗର ବ୍ଲକରେ ଗତ ମାସରୁ ମଣ୍ଡି ଖୋଲିଥିବା ବେଳେ ୫ହଜାର ୭ଶହ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ୬୫ହଜାର କ୍ୱିଂଟାଲ ଧାନ କିଣିବାକୁ ଟାର୍ଗେଟ ଦିଆଯାଇଛି । ହେଲେ ଏପର୍ଯ୍ୟନ୍ତ ଅନେକ ଚାଷୀଙ୍କୁ ଟୋକନ ମିଳିନାହିଁ । ଶୀତ, କାକରରେ ଚାଷୀ ମଣ୍ଡିରେ ଧାନକୁ ଜଗି ବସିଛି । କେତେକ ଚାଷୀ ମଣ୍ଡି ଝିନଝଟରେ ନପଡି ସିଧା ସଳଖ ଦଲାଲଙ୍କ ମାଧ୍ୟମରେ ବାହାର ରାଜ୍ୟକୁ ଧାନ ବିକି ଦେଉଛନ୍ତି । ଅନ୍ୟପଟେ ଆମ ପାଖରେ ସେମିତି କିଛି ତଥ୍ୟ ନାହିଁ, ବାହାର ରାଜ୍ୟକୁ ଧାନ ଯାଉଥିବା ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଫେଇ ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

ଅନ୍ନଦାତାଙ୍କ ସୁବିଧା ପାଇଁ ସରକାର ଯୋଜନା ଉପରେ ଯୋଜନା କରି ଉନ୍ନତି କରୁଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ପ୍ରକୃତରେ ସରକାର ବିଭିନ୍ନ ବାହାନାରେ ଚାଷୀଙ୍କୁ ଶୋଷଣ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।