ମଣ୍ଡିରେ ପଡି ରହିଛି କ୍ୟୁଂଟାଲ କ୍ୟୁଂଟାଲ ଧାନ । ଶୀତ କାକରରେ ଧାନ ଜଗି ରହିଛି ଚାଷୀ । ମାନ ଯାଂଚ ପରେ ବି ଧାନ ନେଉନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ

24

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଣ୍ଡି ବ୍ୟବସ୍ଥା କୁ ସୁଦୃଢ କରିବା ବିଭିନ୍ନ ଚଢାଓ ଓ ରେଡ ପରେ ବି ଧାନ ମଣ୍ଡିରେ ସୁଧାର ଆସି ପାରୁନାହିଁ । ମିଲରମାନଙ୍କ ଖାମ ଖିଆଲି ନିତି ଯୋଗୁ ମାସ ମାସ ଧରି ଜିଲ୍ଲାର ଅଧିକାଂଶ ମଣ୍ଡି ରୁ ଧାନ ଉଠି ପାରୁନାହିଁ । ତେବେ ଏକ ସପ୍ତାହ ମଧ୍ୟରେ ଜିଲ୍ଲାର ସମସ୍ତ ମଣ୍ଡିର ଧାନକୁ ସମ୍ପୁର୍ଣ ଭାବେ ଉଠାଇ ନିଆଯିବ ବୋଲି କନକ ନ୍ୟୁଜକୁ ସୁଚନା ଦେଇଛନ୍ତି ମାଲକାନଗିରି ଉପ ଜିଲ୍ଲାପାଳ ।

ଦୁଇଟି ପଂଚାୟତ ର ଶହ ଶହ ଚାଷୀ ନିଜ ଧାନ କୁ ଗଚ୍ଛିତ ରଖି ସରକାରୀ ବ୍ୟବସ୍ଥାକୁ ଅନେଇ ବସିଛନ୍ତି । ଧାନ କ୍ରୟ ଲାଗି ଡିଜିଟାଲ ଟୋକନ ମଧ୍ୟ ପାଇଛନ୍ତି ଚାଷୀ । ଧାନର ମାନ ଯାଁଚ ପ୍ରକ୍ରିୟା ମଧ୍ୟ ସରିଛି । ତେବେ ଧାନ ଉଠାଇବା ଲାଗି ମିଲରଙ୍କରଏଠାରେ ଦେଖା ନାହିଁ । ଏବଂ ଯାହା କାଁ ଭାଁ କିଛି ମିଲର ଆସନ୍ତି, ସେମାନେ ଦଲାଲ ମାନଙ୍କୁ ଅଗ୍ରାଧିକାର ଦେଇ ଧାନ ଉଠାଉ ଥିବା ଚାଷୀ ଅଭିଯୋଗ କରିଛନ୍ତି । ଚାଷୀ ମାନେ ୧୦ ରୁ ୧୩ କିଲୋ ଧାନ କାଟ ଛାଟ ନ କରିବାରୁ ସେମାନଙ୍କ ଧାନ ଉଠି ପାରୁ ନଥିବା ଅଭିଯୋଗ ହୋଇଛି । ତେବେ ଅତି ଶିଘ୍ର ଏହି ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ଧମକ ଦେଇଛନ୍ତି ବିଭିନ୍ନ ଚାଷୀ ସଙ୍ଗଠନ ।

ମାଲକାନଗିରି ଜିଲ୍ଲାର ମୋଟ ୧୧୧ ଟି ଗ୍ରାମ ପଂଚାୟତ ଲାଗି ଚଳିତ ବର୍ଷ ମଣ୍ଡି ସଂଖ୍ୟା କୁ ଦ୍ୱିଗୁଣିତ କରା ଯାଇ ୬୦ ଟି ଧାନ ମଣ୍ଡି ଖୋଲା ଯାଇଛି । ତେବେ କୋରୁକୋଣ୍ଡା ସମେତ ଜିଲ୍ଲାର ପୋଟ୍ରେଲ, କାମବାଡା, ତାରଲୋକୋଟା ପରି ପ୍ରାୟ ଅଧିକାଂଶ ମଣ୍ଡିରେ ଏକା ଅବସ୍ଥା । ଅଧିକାଂଶ ମିଲର ଏବେ ସେକ୍ୟୁରିଟି ଟଙ୍କା ପୈଠ କରି ଥିବା ବେଳେ ଏବେ ଧାନ ଲିଫ୍ଟିଙ୍ଗ ଆରମ୍ଭ ହୋଇ ସାରିଛି । ଏବଂ ଏକ ସପ୍ତାହ ମଧ୍ୟରେ ସମସ୍ତ ମାଣ୍ଡିର ଧାନକୁ ସମ୍ପୁର୍ଣ ଭାବେ ଉଠାଇ ନିଆ ଯିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ।

ମାଲକାନଗିରି ଜିଲ୍ଲାରେ ପି.ଡି.ଏସ ସମେତ ମଧ୍ୟାହ୍ନ୍ନ ଭୋଜନ, ଆବାସିକ ବିଦ୍ୟାଳୟ, ଆଙ୍ଗନଓାଡି କେନ୍ଦ୍ର ଲାଗି ମୋଟ ୮ ଲକ୍ଷ କ୍ୟୁଂଟାଲ ଚାଉଳ ଆବଶ୍ୟକ ପଡୁଥିବା ବେଳେ ଏଯାଏଁ ୫ ଲକ୍ଷ କ୍ୟୁଂଟାଲ ଧାନ ଉଠା ହୋଇଥିବା ଜଣାପଡିଛି ।