ମଣ୍ଡି ଖୋଲିଛି, ହେଲେ ମିଳିନି ଟୋକନ । ଖଳାରେ ଗଦା ହୋଇ ରହିଛି ଅମଳ ଧାନ

45

କନକ ବ୍ୟୁରୋ : ମଣ୍ଡି ଖୋଲିଥିଲେ କଣ ହେବ ଏଯାଏଁ ଟୋକନ ଆସିନି, ଧାନ ବିକ୍ରି ହେବ କେମିତି । ଟୋକନ ପାଇ ନଥିବା ଚାଷୀ ଧାନ ଅମଳ କରି ଖଳାରେ ରଖିଛି । ଆଉ ଶୀତ କାକରରେ ରାତ୍ରି ଜଗୁଆଳୀ ସାଜିଛି । ଏଭଳି ଖବର ଆସିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରୁ ।

ସପ୍ତାହେ ତଳୁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ମଣ୍ଡି ଖୋଲିଛି । ହେଲେ ଏଯାଏଁ ଚାଷୀଙ୍କୁ ଟୋକନ ମିଳି ନାହିଁ । ତେଣୁ ଚାଷୀଙ୍କ ଖଳାରେ ଅମଳ ଧାନ ଗଦା ହୋଇ ରହିଛି । କିଛି ଚାଷୀଙ୍କର ଟୋକନ ଆସିଛି, କିନ୍ତୁ ମଣ୍ଡିକୁ ଧାନ ଆଣିବା ପାଇଁ ସେମାନଙ୍କ ଆସନ୍ତା ଜାନୁଆରୀ ମାସର ମହଲତ ଦିଆଯାଇଛି । ତେଣୁ ଧାନ ବିକ୍ରିକୁ ନେଇ ଚିନ୍ତାରେ ପଡିଥିବା ଚାଷୀ ଖଳାରେ ଦିନରାତି ଧାନ ଜଗି ରହିଛନ୍ତି । ଶୀତ ରାତିରେ ରାତ୍ରି ଜଗୁଆଳି ପାଲଟିଛନ୍ତି କଲ୍ୟାଣସିଂହପୁର ବ୍ଲକର ଚାଷୀ ।

ବ୍ଲକର ସମସ୍ତ ପଂଚାୟତରୁ ଏଭଳି ସମସ୍ୟା ସଂପର୍କୀତ ଖବର ଆସିଛି । ଚଳିତବର୍ଷ ଧାନ ଭଲ ହୋଇଥିବାରୁ ଦୁଇ ପଇସା ଲାଭ କରିବାର ଆଶା ରଖିଥିଲେ ଚାଷୀ । ହେଲେ ଏବେ ଲାଭ ତ ଦୂରର କଥା ସରକାରୀ ଦରରୁ କମ୍ ଦରରେ ଦଲାଲକୁ ଧାନ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଥିବା କହିଛନ୍ତି । ଧାନ ଚାଷ ଓ ଅମଳ ବାବଦରେ ଆଣିଥିବା କରଜ ସୁଝିବା ପାଇଁ ଚାଷୀ କ୍ୱିଂଟାଲ ପିଛା ସରକାରୀ ଧାର୍ଯ୍ୟ ଠାରୁ ଖୁବ୍ କମ୍ ଟଙ୍କାରେ ଧାନ ବିକ୍ରି କରୁଥିବା କହିଛନ୍ତି ।

ବ୍ଲକର ୧୮୬୦ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ନାମ ପଂଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଚାଷୀଙ୍କୁ ଟୋକନ ମିଳିଥିବା ବେଳେ ଅନେକ ଚାଷୀଙ୍କୁ ମିଳିନାହିଁ । ପ୍ରାୟ ୪ଶହରୁ ଅଧିକ ଚାଷୀଙ୍କ ଟୋକନ ଯାଂଚ ପାଇଁ ଯୋଗାଣ ବିଭାଗ ପକ୍ଷରୁ ନୋଟିସ ଆସିବା ପରେ ଚାଷୀ ମାନେ ଅଡୁଆରେ ପଡିଛନ୍ତି ।