ଖୋଲା ଆକାଶ ତଳେ ପଡି ରହିଛି ବସ୍ତା ବସ୍ତା ଧାନ : କଳାହାଣ୍ଡିରେ ତେଜିଲା ଚାଷୀ ଅସନ୍ତୋଷ

ସେପଟେ ଧାନକିଣାରେ ଅବ୍ୟବସ୍ଥା ନେଇ କୁଚିଣ୍ଡାରେ ବିଜେପିର ଧାରଣା

38

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କାଶୀବାହାଲ ନୂଆପଡା ଧାନ ମଣ୍ଡିରେ ଟୋକନ ଅନିୟମିତତାକୁ ନେଇ ଆସିଛି ସାଂଘାତିକ ଅଭିଯୋଗ । ପ୍ରକୃତ ଚାଷୀ ବଦଳରେ ଜାଲ ଚାଷୀ ଟୋକନ ହାତେଇ ଧାନ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଏହାର ତଦନ୍ତ ଦାବିରେ ଚାଷୀମାନେ ମଣ୍ଡି ଆଗରେ ବସି ଧାନ ବୋଝେଇ ଗାଡିକୁ ଅଟକାଇବାରୁ ଧାନ ଉଠାଣରେ ଅଚଳାବସ୍ଥା ଦେଖାଇଛି ।ମଣ୍ଡିରେ ଧାନ କିଣୁଥିବା ମଙ୍ଗଳାଦେବୀ ଏସଏଚଜିର ସଂପାଦିକା ଚଂଚକତା କରି ଟୋକନ ହାତେଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଅନଲାଇନ ପଞ୍ଜୀକରଣ ସମୟରେ ଚାଷୀଙ୍କ ସମସ୍ତ ପ୍ଲଟକୁ ଏଂଟ୍ରି ନକରି ସେହି ପ୍ଲଟକୁ ସଂପାଦିକା ନିଜ ସଂପର୍କୀୟଙ୍କ ନାଁରେ ଏଂଟ୍ରି କରି ଟୋକନ ଇସ୍ୟୁ କରିଥିବା କୁହାଯାଉଛି ।

ସେପଟେ ଟୋକନ ପାଇନପାରି ହନ୍ତସନ୍ତ ହେଉଛନ୍ତି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅତାବିରା ସମବାୟ ସମିତି ଅଂଚଳର ଚାଷୀ । ଅନଲାଇନ ଆବେଦନରେ ଛୋଟିଆ ଭୁଲ ପାଇଁ ୧୭୨ ଚାଷୀଙ୍କୁ ମିଳିନି ଟୋକନ । ଟୋକନ ନଥିବାରୁ ଚାଷୀ ନିଜ ଧାନ ମଣ୍ଡିକୁ ନେଇ ପାରୁ ନାହାନ୍ତି । ଫଳରେ ସେହି ଚାଷୀଙ୍କ ପ୍ରାୟ ୧୦ହଜାର କୁଇଂଟାଲ ଧାନ ଖୋଲା ଆକାଶ ତଳେ ଓ ଘର ବାରଣ୍ଡାରେ ପଡି ରହିଛି । ତୁରନ୍ତ ସରକାର ଟୋକନ ଦେଇ ଧାନ କିଣି ନେବାକୁ ଦାବି ହୋଇଛି ।

ସରକାର ଧାନ କିଣାରେ ସୁବିଧା ଓ ସ୍ୱଚ୍ଛତା ପାଇଁ ଅନଲାଇନ ପଞ୍ଜୀକରଣ ଓ ଟୋକନ ବ୍ୟବସ୍ଥା କରିଛନ୍ତି । ହେଲେ ଏହା ଚାଷୀଙ୍କୁ ବେଶୀ ସମସ୍ୟାରେ ପକାଉଛି । କେଉଁଠି ଟୋକନ ଜାଳିଆତି ଯୋଗୁଁ ଚାଷୀ ହଇରାଣ ହେଉଛନ୍ତି । ପୁଣି ଛୋଟ ଭୁଲ ପାଇଁ ଟୋକନ ପାଇବାରୁ ଚାଷୀ ବଂଚିତ ହୋଇ ଧାନ ବିକ୍ରି କରିପାରୁ ନାହାନ୍ତି ।