ମଣ୍ଡିରେ ପଡିରହିଛି ଧାନ, ଶୀତ କାକରରେ ଜଗିଛି ଚାଷୀ : କଟନି ଛଟନିରେ ରାଜି ନହେବାରୁ ଧାନ ଉଠାଉ ନାହାନ୍ତି ମିଲର୍ସ; ପଦ୍ମପୁର ଧାନମଣ୍ଡିରେ ତାଲା ପକାଇଲେ ଉତ୍ୟେକ୍ତ ଚାଷୀ

36

କନକ ବ୍ୟୁରୋ : ଚାଷୀ, ଚାଷ ଆଉ ଚାଷୀ ଉତ୍ପାଦିତ ଦ୍ରବ୍ୟ ବିକ୍ରିକୁ ନେଇ ସବୁ ବେଳେ ଲାଗି ରହିଛି ସମସ୍ୟା । ଏଇ ଏବେ ଯେମିତି ଚାରିଆଡୁ ଆସୁଛି ମଣ୍ଡି ସମସ୍ୟା ସଂପର୍କୀତ ଖବର । ଧାନ କିଣିବା ପାଇଁ ସରକାର ସୁବ୍ୟବସ୍ଥା କରୁଥିବା କଥା କହୁଥିବା ବେଳେ, ବରଗଡ଼ ପଦ୍ମପୁରରୁ ଆସିଛି ଅବ୍ୟବସ୍ଥା ଖବର । ପ୍ରତି ଧାନବସ୍ତାରେ କଟନି ଛଟନି ନଦେଲେ ଧାନ ଉଠାଇବାକୁ ମନା କରୁଛନ୍ତି ମିଲର ଏଜେଂଟ । ଫଳରେ ଖୋଲା ଆକାଶ ତଳେ ପଡ଼ି ରହିଛି ୫୦ ହଜାର ଧାନ ବସ୍ତା ।

ଏପରି ଅବ୍ୟବସ୍ଥା ବିରୋଧ କରି ପଦ୍ମପୁରର ଝାରବନ୍ଧ ଧାନ ମଣ୍ଡିରେ ତାଲା ପକାଇ ଦେଇଥିଲେ ଚାଷୀ । ଯେପର୍ଯ୍ୟନ୍ତ ସୁରୁଖୁରୁରେ ଧାନ ବିକ୍ରି ନହୋଇଛି ସେ ପର୍ଯ୍ୟନ୍ତ ମଣ୍ଡି ଖୋଲାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ ଚାଷୀ । ଚାଷୀଙ୍କ ଅଭିଯୋଗ ଅନୁସାରେ, ମଣ୍ଡି କର୍ମଚାରୀମାନେ ମିଲର ଟ୍ୟାଗ ଥିଲେ ମଧ୍ୟ ଟ୍ୟାଗ ନାହିଁ କହି ଚାଷୀକୁ ହଇରାଣ କରୁଛନ୍ତି । ଚାଷୀଙ୍କ ସୁବିଧା ପାଇଁ ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥା କରଯାଇଛି । ହେଲେ ମଣ୍ଡି ଦାୟିତ୍ୱରେ ଥିବା କର୍ମଚାରୀ ଓ ମିଲ ଗୁଡ଼ିକର ଏଜେଂଟମାନଙ୍କ ଚକ୍ରାନ୍ତ ଯୋଗୁଁ ଚାଷୀଙ୍କ ଟୋକନର ବୈଧତା ସରିଯାଉଛି ।

ଶେଷରେ ମଣ୍ଡିରେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । ଅନ୍ୟପଟେ ଚାଷୀମାନେ ମଣ୍ଡିକୁ ଟ୍ରାକ୍ଟର ଭଡାକରି ଧାନ ମଣ୍ଡିକୁ ଆଣୁଛନ୍ତି ହେଲେ ମଣ୍ଡିରେ ଧାନ ଓହ୍ଲାଉନଥିବା କାରଣରୁ ରାସ୍ତା କଡ଼ରେ ଧାନ ବୋଝେଇ ଟ୍ରାକ୍ଟର ରଖି ଜଗି ରହୁଛି ଚାଷୀ । ଝାରବନ୍ଧ ବ୍ଲକରେ ଚଳିତ ବର୍ଷ ୧୯ ଶହ ୮୮ ଜଣ ଚାଷୀ ପଂଜିକୃତ କରିଛନ୍ତି ହେଲେ ବର୍ତମାନ ଯାଏଁ କେବଳ ୭୬୮ ଜଣ ଚାଷୀ ଧାନ ବିକ୍ରି କରିପାରିଛନ୍ତି ।