ଚାଷୀ, ମଣ୍ଡି ଆଉ ଟୋକନ୍ ବ୍ୟବସ୍ଥା…ଧାନ ବିକ୍ରୀ ପାଇଁ ହିନସ୍ତା ଅନ୍ନଦାତା…ମିଲର୍ସଙ୍କ ମର୍ଜିରେ ଚାଲିଛି ମଣ୍ଡି…ଖୋଲା ଆକାଶ ତଳେ ହଜାର ହଜାର ଧାନ ବସ୍ତା

ନାମ ପଞ୍ଜିକରଣ ହୋଇନଥିବାରୁ ଟୋକନ ପାଇନାହାଁନ୍ତ କୃଷକ

315

କନକ ବ୍ୟୁରୋ: ଚାଷୀଙ୍କୁ ଟୋକେନ ଚିନ୍ତା । ନାମ ପଞ୍ଜିକରଣ କରିନପାରି ଟୋକନ ବ୍ୟବସ୍ଥାରୁ ବଂଚିତ ହୋଇଛନ୍ତି ଗୁଣୁପୁର ଅଂଚଳର ଚାଷୀ । ଟୋକନ୍ ନଥିବାରୁ ଧାନ ବିକ୍ରୀ ହୋଇନପାରି ଖଳାରେ ପଡିରହଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ଦଲଲା । ସେପଟେ କଳାହାଣ୍ଡି ଜିଲ୍ଲାର ଜୟପଟାଣାରେ ମଧ୍ୟ ଚାଷୀଙ୍କ ସମସ୍ୟା କହିଲେ ନସରେ ।

ଚାଷୀ, ମଣ୍ଡି ଆଉ ଟୋକନ୍ ବ୍ୟବସ୍ଥା । ଧାନ ବିକ୍ରୀ ପାଇଁ ହିନସ୍ତା ଅନ୍ନଦାତା । ରାୟଗଡାର କୃଷି ଜିଲ୍ଲା ଗୁଣପୁରରେ ଚାଷୀଙ୍କୁ ଘାରିଛି ଟୋକେନ ଚିନ୍ତା । ଅଧିକାଂଶ ଚାଷୀ ନାମ ପଞ୍ଜିକରଣ କରିନପାରି ଟୋକନ ବ୍ୟବସ୍ଥାରୁ ବଂଚିତ ହୋଇଛନ୍ତି । ଟୋକନ ନଥିବାରୁ ଚାଷୀର ଧାନ ଖଳାରେ ପଡିରହିଛି, ଆଉ ମାଲାମାଲ ହେଉଛନ୍ତି ଦଲାଲ । ସରକାରୀ ମଣ୍ଡିରେ ଧାନ ବିକ୍ରୀର ଆଶା ମଉଳି ଯିବା ପରେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟଠାରୁ କମ ଦରରେ ମିଲର୍ସ ଓ ଦଲାଲଙ୍କୁ ବିକ୍ରୀ କରିବାକୁ ବାଧ୍ୟ ହେଉଛି ଚାଷୀ ।

ଗୁଣୁପୁର, ପଦ୍ମପୁର, ଗୁଡ଼ାରି ଓ ରାମାନାଗୁଡ଼ ବ୍ଲକକୁ ନେଇ ଗଠିତ କୃଷି ଜିଲ୍ଲା । ଚଳିତ ବର୍ଷ ଜିଲ୍ଲାର ୨୧,୬୫୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଗୁଣୁପୁରରେ ୫୨୦୦ ହେକ୍ଟର, ପଦ୍ମପୁରରେ ୭୫୧୦, ଗୁଡାରିରେ ୪୬୯୦ ଓ ରାମନାଗୁଡା ବ୍ଲକର ୪୨୫୦ ହେକ୍ଟର ଜମିରେ ଧାନ ଚାଷ କରିଛନ୍ତି ଚାଷୀ । ଧାନ ଅମଳ ହୋଇସାରିଥିବା ବେଳେ ଟୋକନ ନଥିବାରୁ ବିକ୍ରି ପାଇଁ ହଇରାଣ ହେଉଛନ୍ତି ଚାଷୀ । ସେପଟେ ଏନେଇ ସରକାରଙ୍କୁ ଅବଗତ କରାଯାଇଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।

ଖୋଲା ଆକାଶ ତଳେ ହଜାର ହଜାର ଧାନ ବସ୍ତା ।କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଧାନମଣ୍ଡିକୁ ନେଇ ଚାଷୀଙ୍କ ସମସ୍ୟା ବଢିଯାଇଛି । ପ୍ରଥମେ ନିର୍ଧାରିତ ସମୟ ଠାରୁ ବିଳମ୍ବରେ ମଣ୍ଡି ଖୋଲିଥିଲା । ଆଉ ଏବେ ମଜୁରି ବଢାଇବା ଦାବିରେ ଶ୍ରମିକଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ ମଣ୍ଡିଗୁଡିକରେ ଅଚଳାବସ୍ଥା । ଟାର୍ଗେଟ ଆଳରେ ମଣ୍ଡିଗୁଡିକୁ ମିଲର୍ସ ନିୟମିତ ଆସୁନଥିବାରୁ ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡିରହିଛି । ବର୍ଷକର ପରିଶ୍ରମ ଶୀତ କାକରରେ ପଡିଥିବା ବେଳେ ଏହାକୁ ଜଗି ରହିଛନ୍ତି ଚାଷୀ । ଜୟପାଟଣା ବ୍ଲକ ଉପାନ୍ତ ଅଂଚଳରେ ବଡପୁଝାରୀଗୁଡା ମଣ୍ଡି ଚାଲିଛି ମିଲର୍ସଙ୍କ ମର୍ଜିରେ । ଏଠାରେ ମିଲର୍ସ ଆସିଲେ ଧାନକିଣା ଯାଉଛି, ନହେଲେ ନାହିଁ । ଯାହା ଚାଷୀଙ୍କ ଚିନ୍ତା ବଢାଇଦେଇଛି ।

ସୂଚନା ଅନୁସାରେ, ବଡପୁଝାରୀଗୁଡା ମଣ୍ଡିରେ ଧାନ ବିକ୍ରୀ ପାଇଁ ଉଛୁଲା, ଅଲାଭଟ୍ଟା, ବଡପୁଝାରୀଗୁଡା ପଂଚାୟତର ୧୩୪୪ ଜଣ ଚାଷୀ ପଂଜିକରଣ କରିଛନ୍ତି । ସେମାନଙ୍କଠାରୁ ୬୩,୨୭୯ କ୍ୟୁଂଟାଲ ଧାନ କିଣିବା ପାଇଁ ପ୍ରଶାସନ ଟାଗେର୍ଟ ରଖିଛି । ଏବେ ସୁଦ୍ଧା ୪୦ ହଜାର ୭୬୮ କ୍ୟୁଂଟାଲ ଧାନ କିଣା ହୋଇଛି । ମଣ୍ଡି କର୍ତ୍ତୃପକ୍ଷ ଟାର୍ଗେଟ ନଥିବା କହି ମିଲର୍ସ ନିୟମିତ ଆସୁନ ଥିବା କଥାକୁ ସ୍ୱୀକାର କରିଛନ୍ତି ।