ଧାନ ବିକ୍ରି କରିବା ପାଇଁ ଚାଷୀ ହନ୍ତସନ୍ତ : ଶୀତ କାକରରେ ପଡ଼ି ରହିଛନ୍ତି ଚାଷୀ; ବରଗଡ଼ ସରର୍କଣ୍ଡା ମାର୍କେଟରୁ ରାତିର ସ୍ଥିତି ପରଖିଲେ ଆମ ପ୍ରତିନିଧି

ଏପଟେ ଧାନ କିଣାରେ ଅନିୟମିତତା ପଡ଼ିଲା ମହଙ୍ଗା; ବରଗଡ଼ ଜିଲ୍ଲାର ୯ ଜଣଙ୍କ ସମେତ ୧୦ ପ୍ୟାକ୍ସ ସଂପାଦକ ନିଲମ୍ବିତ

45

କନକ ବ୍ୟୁରୋ : ଧାନ ଅମଲ କରି ବିକ୍ରି କରିବା ପାଇଁ ଚାଷୀଙ୍କୁ କେତେ କସରତ କରିବାକୁ ପଡ଼ୁଛି ତାର ଚିତ୍ର ଆସିଛି ବରଗଡ଼ ଜିଲ୍ଲା ସରର୍କଣ୍ଡା ମାର୍କେଟ୍ ୟାଡରୁ । ଧାନ ବିକ୍ରି ପାଇଁ ଆସିଥିବା ଚାଷୀ, ଶୀତକାକରରେ ପଡ଼ି ରହିଛନ୍ତି, ହେଲେ ଧାନ ଉଠିପାରୁନି । ଏସବୁ ଭିତରେ ପୁଣି ଶହେରୁ ଅଧିକ ଚାଷୀଙ୍କ ଟୋକଟ୍ ଅବଧି ସରିଯାଇଛି । ଟାର୍ଗେଟ୍ ବଢ଼ିବ ଏବଂ ନୂଆ ଟୋକନ୍ ଆସିବ ଏହି ଆଶାରେ ଦିନ କାଟୁଛନ୍ତି ବରଗଡ଼ ଜିଲ୍ଲାର ଚାଷୀ । ରାତି ପ୍ରାୟ ୧୨ଟା ବେଳେ ସେଠି ପହଂଚି ସ୍ଥିତି ପରଖି ଥିଲେ ଆମ ପ୍ରତିନିଧି ।

ସେପଟେ, ପ୍ୟାକ୍ସ ସମ୍ପାଦକଙ୍କୁ ମହଙ୍ଗା ପଡିଲା ଧାନ କିଣାରେ ଅନିୟମିତତା । ଧାନ କିଣା ପାଇଁ ଜାରି ହୋଇଥିବା ଗାଇଡଲାଇନ ଉଲ୍ଲଂଘନ କରିବା ଅଭିଯୋଗରେ ସସପେଣ୍ଡ ହୋଇଛନ୍ତି ୧୦ ଜଣ ପ୍ୟାକ୍ସ ସଂପାଦକ । ଏହା ମଧ୍ୟରୁ କେବଳ ବରଗଡ ଜିଲ୍ଲାରୁ ରହିଛନ୍ତି ୯ ଜଣ ପ୍ୟାକ୍ସ ସମ୍ପାଦକ । ନିଲମ୍ୱିତ ହୋଇଥିବା ପ୍ୟାକ୍ସ ସମ୍ପାଦକମାନେ ହେଉଛନ୍ତି ବରଗଡ ଝାରବନ୍ଧ ପ୍ୟାକ୍ସ ସଂପାଦକ ଉମାକାନ୍ତ ପ୍ରଧାନ । ଡଭା ପ୍ୟାକ୍ସ ସହକାରୀ ସଂପାଦକ ଗୋବିନ୍ଦ ସାହୁ । ସୋହେଲା ପ୍ୟାକ୍ସର ସଂପାଦକ ରାଜେଶ ପ୍ରଧାନ । କଟାପାଲି ପ୍ୟାକ୍ସ ସଂପାଦକ ବିଦ୍ୟାଧର ପ୍ରଧାନ ।

ପାହାରଶ୍ରିଗିଡା ପ୍ୟାକ୍ସର ସଂପାଦକ ଶମ୍ଭୁ କ୍ଷେତ୍ରୀ । ନାରାୟଣ ପ୍ୟାକ୍ସ ସଂପାଦକ ସଂପାଦକ ସୁଦାମ ସାହୁ । ଭୁକ୍ତ ପ୍ୟାକ୍ସ ସଂପାଦକ ହୃଷିକେଶ ପ୍ରଧାନ । ଚଢେଇ ଗାଁ ପ୍ୟାକ୍ସ ଭାରପ୍ରାପ୍ତ ସଂପାଦକ ଲିଙ୍ଗରାଜ ସାହୁ । କନ୍ଦପାଳ ପ୍ୟାକ୍ସର ସଂପାଦକ କ୍ଷୀରୋଦ ସାହୁ । ବଲାଙ୍ଗିର ଚୂଡାପାଲ୍ଲୀ ପ୍ୟାକ୍ସ ସଂପାଦକ ଗୋପବନ୍ଧୁ ସାହୁଙ୍କୁ ସସପେଣ୍ଡ କରାଯାଇଛି । ଏହା ସହିତ ସୋହେଲା ପ୍ୟାକ୍ସ ସଂପାଦକ, କ୍ଲର୍କ ତଥା ଡାଟା ଏଂଟ୍ରି ଅପରେଟର ଏବଂ ଅନ୍ୟ ଖିଲାପୀ କର୍ମଚାରୀଙ୍କ ବିରୋଧରେ ଥାନାରେ ଏତଲା ହୋଇଥିବା ସୂଚନା ମିଳିଛି ।