କନକ ବ୍ୟୁରୋ: ମଣ୍ଡିରେ ପଡ଼ିଛି ଚାଷୀଙ୍କ କୁଇଣ୍ଟାଲ, କୁଇଣ୍ଟାଲ ଧାନ । ବିକ୍ରି ହୋଇନପାରିବାରୁୁ ସମସ୍ୟା ଭୋଗୁଛନ୍ତି ଚାଷୀ । ବଲାଙ୍ଗିରରେ ସବୁ ବର୍ଷପରି ଚଳିତ ବର୍ଷ ନଭେମ୍ବର ୨୫ରୁ ଧାନକିଣା ଆରମ୍ଭ ହୋଇଛି । ଆରମ୍ଭରୁ ହିଁ ଚାରିଆଡେ ଅବ୍ୟବସ୍ଥା ଦେଖାଦେଇଛି । ଜିଲ୍ଲାର ବିଭିନ୍ନ ବ୍ଲକର ମଣ୍ଡି ଗୁଡିକରେ ଚାଷୀକୁ ୫ରୁ ୮ କେଜି ପର୍ଯ୍ୟନ୍ତ କଟନୀ ଛଟନୀରେ ଧାନ ଦେବାକୁ ପଡ଼ୁଛି । ଏହା ସହ ଧାନ ବିକ୍ରି କରିବା ପାଇଁ ଚାଷୀକୁ ଦୀର୍ଘଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି । ତେଣୁ ବାଧ୍ୟ ହୋଇ କଷ୍ଟ ଉପାର୍ଜିତ ଧାନକୁ ଚାଷୀ ଶାଗମାଛ ଦରରେ ବିକିବାକୁ ବାଧ୍ୟ ହେଉଛି ।
ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ବିଳମ୍ବର ହେଲେ ବି ଖରିଫ ଧାନ କିଣା ଆରମ୍ଭ ହୋଇଛି । ହେଲେ କଟନୀଛଟନୀର ଶିକାର ହେଉଛନ୍ତି ଚାଷୀ । ଯିଏ ବିରୋଧ କରୁଛନ୍ତି ତାଙ୍କର ଧାନ ବିକ୍ରି ହୋଇପାରୁନାହିଁ । ଫଳରେ ସରକାରୀ ରେଟରେ ଧାନ ବିକି ରୁଣ ପରିଷୋଧ କରିବାକୁ ଆଶା କରିଥିବା ଚାଷୀଙ୍କ ଆଶା ମଉଳିଯାଇଛି । ଠିକ ସମୟରେ ଧାନ ଉଠୁନଥିବାରୁ ବାଧ୍ୟ ହୋଇ କ୍ୱିଣ୍ଟାଲ ପ୍ରତି ୧୦୦୦-୧୨୦୦ଟଙ୍କା ରେଟରେ ଦଲାଲମାନଙ୍କୁ ଧାନ ବିକ୍ରି କରୁଛନ୍ତି ଚାଷୀ । ଅନ୍ୟପଟେ କେନ୍ଦ୍ରାପଡ଼ା ରାଜନଗର ବ୍ଳକରେ ଧାନ କିଣା ପାଇଁ ମଣ୍ଡି ଖୋଲାଯାଇଛି । ଏଫଏକ୍ୟୁ ସାଧାରଣ ମାନର ଧାନ କୁଇଣ୍ଟା ପ୍ରତି ୨ହଜାର ୪୦ ଟଙ୍କା ଏବଂ ଗ୍ରେଡ ‘ଏ’ ଧାନ କୁଇଣ୍ଟାଲ ପ୍ରତି ୨ହଜାର ୬୦ଟଙ୍କାରେ ଚାଷୀ ଧାନ ବିକ୍ରି କରିପାରିବେ । ଧାନ କ୍ରୟ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ସରଳ କରିବା ପାଇଁ ପ୍ରଶାସନ ଉଦ୍ୟମ କରୁଥିବା ବେଳେ ମିଲରଙ୍କ ମନମାନିକୁ ନେଇ ଚାଷୀ ପ୍ରଶ୍ନ ଉଠାଇଛନ୍ତି ।
Follow Us