କନକ ବ୍ୟୁରୋ: ସବୁବେଳେ ଚାଷୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଧାନ ଅମଳ ହେବା ହେଉ କି ସଂରକ୍ଷଣ କି ମଣ୍ଡିରେ ଧାନ ବିକ୍ରି , ସବୁଠି ଚାଷୀଙ୍କ ପାଇଁ ସମସ୍ୟା ଦେଖାଦେଇଥାଏ । ସେହିପରି ସମ୍ବଲପୁରରେ ଖରିଫ ଋତୁରେ ଧାନ କିଣା ଆରମ୍ଭ ହୋଇଥିଲେ ମଧ୍ୟ କିଛି ସ୍ଥାନରେ ଉଠିପାରିନି ଧାନ । କଟନି ଛଟନି ନେଇ ମିଲରଙ୍କର କାହାକୁ ନାହିଁ ଖାତିର ।

Advertisment

ସମ୍ବଲପୁର ଚାଉଁରପୁର ମଣ୍ଡିରେ କଟନି ଛଟନିକୁ ନେଇ ବଢୁଛି ଚାଷୀ ଅସନ୍ତୋଷ । ୮ ଦିନ ଧରି ଅନେକ ଆଲୋଚନା ପରେ ମଣ୍ଡିରୁ ଉଠିଛି ଧାନ । ସରକାରୀ ନିୟମରେ ବିନା କଟନିଛଟନିରେ ଧାନ ବିକ୍ରି କରିବାକୁ ଚାହୁଁଛନ୍ତି ଚାଷୀ । କିନ୍ତୁ ପୂର୍ବ ବର୍ଷ ଭଳି ଏବର୍ଷ ଧାନ ବିକିବାକୁ କହୁଛନ୍ତି ମଣ୍ଡି କର୍ତୃପକ୍ଷ । ଫଳରେ ଚାଷୀ ଅସନ୍ତୋଷ ବଢିବା ସହ ଚାଷୀ ଆନ୍ଦୋଳନ ମୁହାଁ ହେଉଛନ୍ତି ।

ଏଭଳି ବାଦବିବାଦ ଭିତରେ ଚାଷୀଙ୍କ ଦାବି ମାନିଛି ଜିଲ୍ଲା ପ୍ରଶାସନ । ଧାନର ମର୍ସଚର ବା ଓଦାସ୍ତର ଯଦି ୧୭ ପ୍ରତିଶତ ରୁହେ, ତେବେ କଟନିଛଟନି ହେବ ନାହିଁ ବୋଲି ମିଲର କହିବା ପରେ ମଣ୍ଡିରୁ ଧାନ ଉଠିଛି । ମଣ୍ଡିରେ ହିଁ ଓଦାସ୍ତର ଯାଂଚ କରି ରିପୋର୍ଟ ଦିଆଯିବ ବୋଲି କୁହାଯାଇଛି ।

ଚାଷୀଙ୍କ ଏହି ଅଭିଯୋଗ କିଛି ନୂଆ ନୁହେଁ । ଅନେକ ଥର ଏମିତି ଅଭିଯୋଗ ଆସିଛି, ତଥାପି କଟନି ଛଟନିକୁ ନେଇ ପ୍ରଶାସନ, ରାଇସ ମିଲରଙ୍କ ଉପରେ କୌଣସି ରୋକ ଲଗାଇ ପାରୁନି ।